ମୁହଁରୁ ଅନାବଶ୍ୟକ କେଶକୁ କେମିତି ହଟାଇବେ? ବିଶିଷ୍ଟ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ପୁରୁଷଙ୍କ ମୁହଁରେ ନିଶ ଏବଂ ଦାଢ଼ି ବାହାରିବା ସ୍ୱାଭାବିକ କଥା। ହେଲେ ଶରୀରରେ ହରମୋନ୍ ପରିବର୍ତ୍ତନ କାରଣରୁ ଅନେକ ମହିଳାଙ୍କ ମୁହଁରେ ଅନାବଶ୍ୟକ ବା ଅଯଥା କେଶ ବାହାରିଥାଏ, ଯାହାକୁ ଇଂଲିସ୍‌ରେ ଅନୱାଣ୍ଟେଡ୍ ହେୟାର (Unwanted Hair) କୁହାଯାଏ।

ମୁହଁରେ ଅଯଥା କେଶ କାହିଁକି ହୁଏ? (Causes of Facial unwanted hair in female in Odia)

ଆଜିକାଲି ସବୁ ବୟସର ମହିଳାମାନଙ୍କଠାରେ ପିସିଓଡି (ପଲିସିଷ୍ଟିକ୍‌ ଓଭାରିଆନ୍‌ ଡିଜିଜ୍‌) ସମସ୍ୟା ଦେଖିବାକୁ ମିଳୁଛି। ପିସିଓଡି ଏକ ହରମୋନ ଜନିତ ଅସନ୍ତୁଳନ ଯାହା ଦ୍ୱାରା ଗର୍ଭାଶୟର ଭିନ୍ନ ଭିନ୍ନ ସ୍ଥାନରେ ସିଷ୍ଟ ସୃଷ୍ଟି ହୋଇଥାଏ। ପିସିଓଡି ସମସ୍ୟାରେ ଶୀକାର ହେଉଥିବା ମହିଳାମାନଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଯିବା ସହ ଓଜନରେ ମଧ୍ୟ ନିୟନ୍ତ୍ରଣ ରହେ ନାହିଁ। ଏହାଛଡ଼ା ଏହି ସମସ୍ୟା ହେଲେ ମହିଳାଙ୍କର ମୁହଁରେ ଅଯଥା କେଶ ଉଠିଥାଏ, ଯାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥାଏ।

କିଡ୍‌ନି ଉପରେ ଅଡ୍ରେନାଲ ଗ୍ରନ୍ଥି ରହିଛି। ସେଥିରୁ ପୁରୁଷ ହରମୋନ୍‌ ଅଧିକ ମାତ୍ରାରେ କ୍ଷରଣ ହେଲେ ମହିଳାଙ୍କ ମୁହଁରେ ଅନାବଶ୍ୟକ କେଶ ଉଠିଥାଏ।

ମହିଳାଙ୍କ ମୁହଁରେ ଅନାବଶ୍ୟକ କେଶ ଉଠିବାର ଆଉ ଏକ କାରଣ ହେଉଛି ଜୀବନଶୈଳୀ ଓ ଖାଦ୍ୟପେୟ। ଅଧିକାଂଶ ମହିଳା ଫାଷ୍ଟଫୁଡ୍‌ ଆଦି ଅଧିକ ମାତ୍ରାରେ ଖାଉଛନ୍ତି, ଯାହାକି ହର୍‌ମୋନ୍‌ ଅସନ୍ତୁଳନ କରିଥାଏ। ଫଳରେ ମୁହଁରେ ଅଯଥା କେଶ ଉଠିଥାଏ। ଏହାଛଡ଼ା ଆଜିକାଲି କୁକୁଡ଼ାମାନଙ୍କୁ ଶୀଘ୍ର ବଢ଼େଇବା ପାଇଁ ଓ ହୃଷ୍ଟପୃଷ୍ଟ କରିବା ପାଇଁ ହରମୋନ୍‌ ଇଞ୍ଜେକ୍‌ସନ୍‌ର ବ୍ୟବହାର କରାଯାଇଥାଏ। ସାଧାରଣତଃ ଚିଆଁକୁ ବଡ଼ ହେବାକୁ ଯେତିକି ସମୟ ଲାଗିଥାଏ, ସେହି ସ୍ଥାନରେ ଚିଆଁଗୁଡ଼ିକୁ ଷ୍ଟିରୋଏଡ୍‌ ଇଞ୍ଜେକ୍‌ସନ୍‌ ଦେଇ ମାସେ ଦୁଇମାସରେ ବଡ଼ କରିଦିଆଯାଏ। ଏହି କୁକୁଡ଼ା ଖାଇବା ଦ୍ୱାରା ମହିଳାଙ୍କ ମୁହଁରେ ଅଯଥା କେଶ ଉଠୁଥିବା ବେଳେ ପୁରୁଷଙ୍କର ଛାତିରେ କେଶ ବଢ଼ିଥାଏ, ଯାହାକୁ ଗ୍ୟାଇନେକୋମାଷ୍ଟିଆ କୁହାଯାଏ।

ଅଧିକ ପଢ଼ନ୍ତୁ: କାହିଁକି ଦରକାର ନାକ ସର୍ଜରୀ?

ଅଯଥା କେଶର ଚିକିତ୍ସା କେମିତି କରିବେ? (Treatment of unwanted hair in Odia)

ଯଦି ପିସିଓଡି ସମସ୍ୟା ଯୋଗୁଁ ମୁହଁରେ ଅନାବଶ୍ୟକ କେଶ ଉଠିଥାଇପାରେ, ତେବେ ପିସିଓଡିର ଚିକିତ୍ସା କରାଯାଏ। ଯଦି ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଯୋଗୁଁ ମୁହଁରେ କେଶ ଉଠିଥାଏ ତାହାହେଲେ ଲେଜର ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଏ। ବର୍ତ୍ତମାନ ସମୟରେ ଡାଓଡ୍‌ ଲେଜର ସାହାଯ୍ୟରେ ସୁରକ୍ଷିତ ଭାବେ ମୁହଁରୁ ଅଯଥା କେଶ ଉଠାଯାଇପାରୁଛି। ଏହି ଲେଜର ଚିକିତ୍ସା ସବୁପ୍ରକାର ତ୍ୱଚା ଓ କେଶ ପାଇଁ ଉପଯୋଗୀ।

କେମିତି ହୁଏ ଲେଜର ଚିକିତ୍ସା (Laser treatment for unwanted hair in Odia)

ମୁହଁରୁ କେଶ ଉଠାଇବା ପାଇଁ ୧୦ରୁ ୧୨ଟି ଅଧିବେଶନ କରିବାକୁ ପଡ଼ିଥାଏ। ଦରକାର ପଡ଼ିଲେ ଆହୁରି ଅଧିକ ଅଧିବେଶନର ଆବଶ୍ୟକତା ପଡ଼ିଥାଏ। ଲେଜର ଚିକିତ୍ସା କରିବା ପୂର୍ବରୁ ପ୍ରଥମେ ଜଙ୍ଘ ତଳ ତ୍ୱଚାର ପରୀକ୍ଷା କରାଯାଏ, ଯାହାକୁ ପ୍ୟାଚ୍‌ ଟେଷ୍ଟ କୁହାଯାଏ। ଏହି ଟେଷ୍ଟ ପରେ ଯଦି କୌଣସି ପାର୍ଶ୍ୱପ୍ରତିକ୍ରିୟା ନ ଦେଖାଯାଏ, ତାହାପରେ ମୁହଁରେ କରାଯାଏ। ମୁହଁରେ ମୋଟା କେଶ ଉଠୁଥିଲେ ଲେଜର ଚିକିତ୍ସା ୧୫ରୁ ୨୦ଟି ଅଧିବେଶନ ଧରି କରିବାକୁ ପଡ଼ିଥାଏ।

ଲେଜର ଚିକିତ୍ସା କରିବା ପାଇଁ ୧୦ରୁ ୧୨ ମାସ ସମୟ ଲାଗିଥାଏ।

ଅଧିକ ପଢ଼ନ୍ତୁ: କସ୍‌ମେଟିକ୍ ସର୍ଜରୀ କ’ଣ ଓ ଏହା କାହିଁକି ଦରକାର?

ଲେଜର ଚିକିତ୍ସା ପାଇଁ ସାବଧାନତା (Precautions for Laser treatment in Odia)

ଲେଜର ଚିକିତ୍ସା କରିବା ପୂର୍ବରୁ ଲୋକଙ୍କୁ ସେଭିଂ କିମ୍ବା ଥ୍ରେଡିଂ କିମ୍ବା ଓ୍ୱାକ୍ସିଂ କରିବାକୁ ବାରଣ କରାଯାଇଥାଏ। କାରଣ ଏହାଦ୍ୱାରା କେଶ କେତେ ମାତ୍ରାରେ ଉଠିଛି, ମୋଟା ନା ପତଳା କେଶ ଜଣାପଡ଼ିନଥାଏ।

କେଶ ଉପରେ ସିଧାସଳଖ ଲାଇଟ୍‌ ପକାଇବା ଦ୍ୱାରା ସେଥିରୁ ଧୂଆଁ ବାହାରିଥାଏ। ତେଣୁ କେଶକୁ କାଟି ଛୋଟ କରାଯାଏ, ତା’ପରେ ଲାଇଟ୍‌ ପକାଯାଏ।

ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳାଙ୍କର ଲେଜର ଚିକିତ୍ସା କରାଯାଏ ନାହିଁ।

ଲେଜର ଚିକିତ୍ସା କରିବାର ଗୋଟେ ସପ୍ତାହ ପର୍ଯ୍ୟନ୍ତ ଖରାକୁ ବାହାରନ୍ତୁ ନାହିଁ।

ଲେଜର ଚିକିତ୍ସା ପରେ ତ୍ୱଚା ସମ୍ବେଦନଶୀଳ ହୋଇଯାଇଥାଏ। ଖରାକୁ ବାହାରିବା ଦ୍ୱାରା ତ୍ୱଚାରେ ଅତ୍ୟଧିକ ଦାଗ ହୋଇପାରେ।

ବାହାରକୁ ଯିବାକୁ ଚାହୁଁଥିଲେ ତ୍ୱଚାକୁ ଘୋଡ଼ାଇ ଯାଇପାରିବେ।

ଲେଜର ଚିକିତ୍ସା ପରେ ଅଧଘଣ୍ଟା ଯାଏଁ ବରଫ ସେକ ଦେବା ଜରୁରୀ।

(ସ୍ାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ସ୍ାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସ୍ତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on How to Remove Unwanted Hair, in Odia language, is based on an extensive interview with Cosmetic & Plastic Surgeon Dr Laxmi Kanta Mishra.