ପିରିୟଡ୍‌ସ ବେଳେ କେମିତି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ପିରିୟଡ୍‌ସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ନିହାତି ଦରକାର। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣକୁ ଡାକେ। ଏନେଇ ପ୍ରତ୍ୟେକ ମହିଳାଙ୍କୁ ସଚେତନ ହେବା ଦରକାର।

ଋତୁସ୍ରାବରେ ପରିଚ୍ଛନତାର ଗୁରୁତ୍ୱ (Importance of menstrual hygiene in Odia)

ନିୟମିତ ଦାନ୍ତ ଘଷିବା ଭଳି ଋତୁସ୍ରାବ ସମୟରେ ପରିଚ୍ଛନତା ପାଳନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପରିଷ୍କାର ରହିଲେ ମହିଳାଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିପାରିବ।

ପ୍ରତ୍ୟେକ ମହିଳା ଜାଣିବା ଦରକାର ଯେ, ପରିସ୍ରା ନଳୀ ଓ ଋତୁସ୍ରାବ ସମୟରେ ରକ୍ତସ୍ରାବ ହେଉଥିବା ସ୍ଥାନ ବହୁତ ପାଖାପାଖି ଥାଆନ୍ତି। ତେଣୁ ପରିସ୍ରାନଳୀ ସଂକ୍ରମଣ ହେଲେ ଜେନିଟାଲ ଟ୍ରାକ୍‌ ସଂକ୍ରମଣ ହୋଇପାରେ। ସେହିପରି ଜେନିଟାଲ ଟ୍ରାକ୍‌ ସଂକ୍ରମଣ ହେଲେ ପରିସ୍ରା ଗୃହ ସଂକ୍ରମଣ ହୋଇପାରେ। ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ମୂତ୍ରାଶୟ ସଂକ୍ରମଣ ଅଧିକ ଦେଖାଦିଏ।

ପିରିୟଡ୍‌ସ ସମୟରେ ପରିଚ୍ଛନତା ବଜାୟ ରଖିଲେ ପରିସ୍ରା ସଂକ୍ରମଣର ଆଶଙ୍କା କମିଯାଏ। ଯଦି ଜଣେ ମହିଳା ସ୍ୱଚ୍ଛତା ପରିଚାଳନା ନ କରନ୍ତି, ତେବେ ବାରମ୍ବାର ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ।

ବର୍ତ୍ତମାନ ସମୟରେ ବି କେତେକ ମହିଳା ଋତୁସ୍ରାବ ସମୟରେ କପଡ଼ାକୁ ଭଲ ଭାବରେ ନ ଧୋଇ ବ୍ୟବହାର କରିଥାଆନ୍ତି। ଏହାକୁ ଟକ୍ସିକ୍‌ ଇରିଟାଣ୍ଟ ବୋଲି କୁହାଯାଏ। ପିରିୟଡ୍‌ସ ବେଳେ ୪ରୁ ୬ ଘଣ୍ଟା ଭିତରେ ପ୍ୟାଡ୍‌ ବା କପଡ଼ା ବଦଳାଉ ନାହାନ୍ତି ଏବଂ ଗୋଟେ ପ୍ୟାଡ୍‌କୁ ଅଧିକ ସମୟ ଧରି ବ୍ୟବହାର କରୁଛନ୍ତି, ତାହାହେଲେ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଫଳରେ ମହିଳାଙ୍କୁ ଅତ୍ୟଧିକ ଜ୍ୱର ହୋଇପାରେ, କିଡ୍‌ନି, ଲିଭର ଫେଲ୍‌ ମାରିପାରେ, ଯାହାକୁ ଟକ୍ସିକ୍‌ ସକ୍‌ ସିଣ୍ଡ୍ରୋମ୍‌ କୁହାଯାଏ।

ଅଧିକ ପଢ଼ନ୍ତୁ: ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ?

କେମିତି ଫିଙ୍ଗିବେ ପ୍ୟାଡ୍? (How to dispose of sanitary pads in Odia)

ଅଧିକାଂଶ ସମୟରେ ମହିଳାମାନେ ପ୍ୟାଡ୍‌ ବ୍ୟବହାର କରିସାରିବା ପରେ ଏଣେତେଣେ ଫୋପାଡ଼ି ଦିଅନ୍ତି। ଫଳରେ ଦୁର୍ଗନ୍ଧ ହେବ, ପରିବେଶ ଉପରେ ଖରାପ ପ୍ରଭାବ ପଡ଼ିବ, ସେଥିରେ ମାଛି, ମଶା ଲାଗିବେ ଓ ହେପାଟାଇଟିସ୍‌ ବି ଓ ସିର ଟ୍ରାନ୍ସମିସନ୍‌ ହେବ।

ପ୍ୟାଡ୍‌ ବ୍ୟବହାର କରି ସାରିବା ପରେ ପ୍ୟାଡ୍‌ ସଫା କରି ପେପର କିମ୍ବା ପେପର ବ୍ୟାଗ୍‌ରେ ଭର୍ତ୍ତି କରି ଡଷ୍ଟବିନ୍‌ରେ ଫୋପାଡ଼ିବେ।

ଅଧିକାଂଶ ମହିଳା ପ୍ୟାଡ୍‌କୁ ଲାର୍ଟିନ୍‌ରେ ପକାଇ ପାଣି ଢାଳି ଦେଇଥାଆନ୍ତି। ଏହା ବିଲକୁଲ କରନ୍ତୁ ନାହିଁ।

ପିରିୟଡ୍‌ବେଳେ କିପରି ରହିବେ ପରିଷ୍କାର? (How to maintain hygiene during the period in Odia)

ପ୍ଲାଷ୍ଟିକ୍‌ମୁକ୍ତ ସାନିଟାରି ପ୍ୟାଡ୍‌ ବ୍ୟବହାର କରନ୍ତୁ।

ଅଧିକାଂଶ ମହିଳା ଭାବନ୍ତି ପ୍ୟାଡ୍‌ ଫୋପାଡ଼ି ସାରିବା ପରେ ହାତ ଧୋଇବା ଉଚିତ। କିନ୍ତୁ ପ୍ୟାଡ୍‌ ପିନ୍ଧିବା ପୂର୍ବରୁ ଏବଂ ଜେନିଟାଲ ଟ୍ରାକ୍‌କୁ ସଫା କରିବା ପୂର୍ବରୁ ଉଷୁମ ପାଣି କିମ୍ବା ସାଧା ପାଣିରେ କିମ୍ବା ସାବୁନ୍‌ରେ ହାତ ସଫା କରିବା ଦରକାର। ପ୍ୟାଡ୍‌ ଫୋପାଡ଼ିବା ପୂର୍ବରୁ ମଧ୍ୟ ହାତ ଧୋଇବା ଦରକାର।

୪ରୁ ୬ ଘଣ୍ଟା ଭିତରେ ସାନିଟାରି ପ୍ୟାଡ୍‌କୁ ବଦଳାନ୍ତୁ।

ଯଦି ଅତ୍ୟଧିକ ରକ୍ତସ୍ରାବ ହେଉଛି, ତେବେ ସାନିଟାରି ପ୍ୟାଡ୍‌ ଅଳ୍ପ ବ୍ୟବଧାନରେ ବଦଳାନ୍ତୁ।

ପରିସ୍ରା ଦ୍ୱାର ଏବଂ ଜେନିଟାଲ ଟ୍ରାକ୍‌କୁ ସବୁବେଳେ ଶୁଖିଲା ରଖିବେ। ଯେତେ ଓଦା ରହିବ, ସଂକ୍ରମଣ ବ୍ୟାପିବାର ଆଶଙ୍କା ବେଶୀ।

ପରିସ୍ରା ଯୋଗୁଁ ଏବଂ ପିରିୟଡ୍ସ ସମୟରେ ରକ୍ତ ସ୍ରାବ ଯୋଗୁଁ ଅନ୍ତଃବସ୍ତ୍ର ଓଦା ହେବାର ସମ୍ଭାବନା ଥାଏ। ତେଣୁ ଦିନରେ ଦୁଇଥର ଅନ୍ତଃବସ୍ତ୍ରକୁ ବଦଳାଇବେ।

ଯୌନାଙ୍ଗ ଧୋଇବା ପାଇଁ ସାବୁନ୍‌ କିମ୍ବା ଅନ୍ୟ ଡିଟରଜେଣ୍ଟର ବ୍ୟବହାର କରିବେ ନାହିଁ। ଏହାଦ୍ୱାରା ଯୌନାଙ୍ଗର ପିଏଚ୍‌ ସ୍ତର ଅସନ୍ତୁଳନ ହେବ।

ପିରିୟଡ୍‌ସ ସମୟରେ ସହବାସ କରିବାରୁ ନିବୃତ୍ତ ରହନ୍ତୁ। ଏହି ସମୟରେ ସହବାସ ଦ୍ୱାରା ପୁରୁଷଙ୍କଠାରୁ ସଂକ୍ରମଣ ମହିଳାଙ୍କୁ ଆସିବାର ଆଶଙ୍କା ଥାଏ। ଯଦି ବି ରଖୁଛନ୍ତି, ତେବେ କଣ୍ଡୋମ ବ୍ୟବହାର କରିବା ଜରୁରୀ।

ପିରିୟଡ୍ ବେଳେ କ’ଣ ବ୍ୟବହାର କରିବେ? (What product to use during the period in Odia)

ସବୁବେଳେ ଥରେ ବ୍ୟବହାର ହେଉଥିବା ସାନିଟାରି ପ୍ୟାଡ୍‌ ବ୍ୟବହାର କରନ୍ତୁ।         

ଯଦି ସାନିଟାରି ପ୍ୟାଡ୍‌ ନାହିଁ କିମ୍ବା ଆଣିବା ପାଇଁ ସୁବିଧା ନାହିଁ, ତାହାହେଲେ ସଫା ସୂତା କପଡ଼ା ବ୍ୟବହାର କରିପାରିବେ। ବ୍ୟବହାର ପରେ ଏହି କପଡ଼ାକୁ ଗରମ ପାଣିରେ ସଫା କରି ଟାଣ ଖରାରେ ଶୁଖାନ୍ତୁ। ଏହାଦ୍ୱାରା କପଡ଼ାରୁ ଜୀବାଣୁ ମରିଯିବ।

ଯଦି କପଡ଼ା ବ୍ୟବହାର କରୁଛନ୍ତି, ତାହାହେଲେ ଦୁଇରୁ ତିନିଥର ପରେ ଆଉ ବ୍ୟବହାର କରନ୍ତୁ ନାହିଁ। କାରଣ ଯେତେ ଭଲରେ ସଫା କଲେ ବି ଜୀବାଣୁ ରହିଯାଆନ୍ତି।

ପ୍ଲାଷ୍ଟିକ୍‌ରେ କାର୍ସିନୋଜେନିକ୍‌ କେମିକାଲ ଥାଏ, ଯାହା କ୍ୟାନ୍‌ସରର କାରଣ। ଯଦି ପ୍ଲାଷ୍ଟିକ୍‌ ଥିବା ସାନିଟାରି ପ୍ୟାଡ୍‌ ବ୍ୟବହାର କରାଯାଏ, ତେବେ ଏଣ୍ଡୋମେଟ୍ରିଓସିସ୍‌ ହେବାର ଆଶଙ୍କା ବଢ଼ିଯାଏ ଏବଂ କ୍ୟାନ୍‌ସର ମଧ୍ୟ ହୋଇପାରେ।

ଏହାଛଡ଼ା ପିରିୟଡ୍‌ସ ପାଇଁ ଟାମ୍ପୁନ୍‌ ଏବଂ ସିଲିକନ୍‌ କପ୍‌ ବ୍ୟବହାର କରିପାରିବେ।

ଅଧିକ ପଢ଼ନ୍ତୁ: ପିସିଓଏସ୍ ଥିଲେ ଗର୍ଭଧାରଣରେ ସମସ୍ୟା ହୁଏ କି?

ପିରିୟଡ୍‌ସରେ ଅଧିକ ରକ୍ତସ୍ରାବ ଓ ଯନ୍ତ୍ରଣା ହୁଏ କାହିଁକି? (Causes of excessive bleeding and pain during the period in Odia)

 ଋତୁସ୍ରାବ ବେଳେ ଯଦି ମୁଣ୍ଡା ମୁଣ୍ଡା ରକ୍ତସ୍ରାବ ହେଉଛି, ତାହାହେଲେ ଜାଣିବେ ଅତ୍ୟଧିକ ରକ୍ତସ୍ରାବ ହେଉଛି।

ଜଣେ ମହିଳାଙ୍କର ପାଖାପାଖି ୭୦ରୁ ୮୦ ଏମ୍‌ଏଲ୍‌ ରକ୍ତସ୍ରାବ ହୋଇଥାଏ। ଫଳରେ ଦୈନିକ ୨ରୁ ୩ଟି ପ୍ୟାଡ୍‌ ବ୍ୟବହାର କରିବାକୁ ପଡ଼ିଥାଏ। ଯଦି ଜଣେ ମହିଳାଙ୍କର ଦିନକୁ ୪ରୁ ୫ଟି ପ୍ୟାଡ୍‌ ଦରକାର ପଡ଼ୁଛି, ତାହାହେଲେ ଜାଣିବେ ଅଧିକ ରକ୍ତସ୍ରାବ ହେଉଛି।

ପ୍ରତ୍ୟେକ ମହିଳାଙ୍କୁ ମାସିକ ପିରିୟଡ୍‌ସ ବେଳେ ଯନ୍ତ୍ରଣା ଅନୁଭୂତ ହୁଏ। ପିରିୟଡ୍‌ସ ରକ୍ତ ଗର୍ଭାଶୟରେ ଜମା ହୁଏ। ଏହାପରେ ଗର୍ଭାଶୟ ସଙ୍କୋଚିତ ହୋଇ ରକ୍ତକୁ ବାହାର କରେ। ଯେଉଁମାନଙ୍କର ଅଧିକ ରକ୍ତସ୍ରାବ ହୁଏ, ସେମାନଙ୍କର ଗର୍ଭାଶୟରେ ଅଧିକ ରକ୍ତ ରହେ ଫଳରେ ସେମାନଙ୍କର ଯନ୍ତ୍ରଣା ଅଧିକ ହୋଇଥାଏ।

ହରମୋନରେ ଅସନ୍ତୁଳନ ଯୋଗୁଁ କେତେକ ମହିଳାଙ୍କର ଅତ୍ୟଧିକ ରକ୍ତସ୍ରାବ ହୁଏ ଓ କେତେକ ମହିଳାଙ୍କର ଦୁଇ ତିନି ମାସ ଗଡ଼ିଗଲା ପରେ ଋତୁସ୍ରାବ ହୋଇଥାଏ। ଏଡାଛଡ଼ା ପିସିଓଡି କାରଣ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହୋଇପାରେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଲିପିକା ମହାରଣାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Menstrual Hygiene, in Odia language, is based on an extensive interview with a Gynaecologist, Infertility & PCOS specialist Dr Lipika Moharana.