ପୂର୍ବରୁ ଯାଦୁକୁ ଏକ ଛୋଟିଆ ରୋଗ ଭାବେ ଗଣା ଯାଉଥିଲା। ହେଲେ ଏବେ ଏହା ଏକ ପ୍ରକାରର ମହାମାରୀ ଭଳି ପ୍ରତୀକ ହେଉଛି। ଅନେକଙ୍କଠାରେ ଔଷଧ ଖାଇଲେ ମଧ୍ୟ ବର୍ଷ ବର୍ଷ ଧରି ଯାଦୁ ଭଲ ହେଉନି। ଏହା ପଛର କାରଣ କ’ଣ? କେମିତି ଯାଦୁ ଭଲ ହେବ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନଗୋବିନ୍ଦ ଶ୍ରୀଚନ୍ଦନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ବର୍ତ୍ତମାନ ସମୟରେ ଦେହରେ ଯାଦୁ ହେଲେ ଶୀଘ୍ର ଶୀଘ୍ର ଶରୀରର ଅନ୍ୟ ଅଙ୍ଗକୁ ମାଡ଼ିଯାଉଛି। ଦଶ ବର୍ଷ ପୂର୍ବେ ଯେତେବେଳେ ଯାଦୁର ରୋଗୀ ଆସୁଥିଲେ, ସେତେବେଳେ ସପ୍ତାହେ ପାଇଁ ଔଷଧ ଦିଆଯାଉଥିଲା। ସେତେବେଳେ ସମ୍ଭବତଃ ଯାଦୁ ସପ୍ତାହେ ପୂର୍ବରୁ ଭଲ ହୋଇଯାଉଥିଲା। ହେଲେ ବର୍ତ୍ତମାନ ଯାଦୁ ସମସ୍ୟା ସହଜରେ ଯାଉନାହିଁ। ଜଣେ ରୋଗୀ ଯାଦୁ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଗଲେ ଦେଢ଼ମାସ ଧରି ଚିକିତ୍ସା କରିବାକୁ ପଡ଼ୁଛି। କେତେକ କ୍ଷେତ୍ରରେ ଦେଢ଼ମାସ ପରେ ବି ଯାଦୁ ସମ୍ପୂର୍ଣ୍ଣ ଭଲ ହୋଇପାରୁ ନାହିଁ। ତେଣୁ ରୋଗୀଙ୍କୁ ଲମ୍ବା ସମୟ ପାଇଁ ଔଷଧ ଦେବାକୁ ପଡ଼ୁଛି।

ଅଧିକ ପଢ଼ନ୍ତୁ: ସୋରିଆସିସ୍‌ରୁ କେମିତି ପାଇବେ ମୁକ୍ତି?

ଯାଦୁ ସଂକ୍ରମଣ କାହିଁକି ବଢୁଛି? (Why is fungal infection on the rise in Odia)

ବର୍ତ୍ତମାନ ନୂଆ ନୂଆ ଭୂତାଣୁ ଯାଦୁ ସୃଷ୍ଟି କରିବା ପାଇଁ ଦାୟୀ। ଏହି ଭୂତାଣୁଗୁଡ଼ିକ ଦ୍ରୁତ ଗତିରେ ବଢ଼ିଚାଲୁଛି। ଫଳରେ ଦେହର କୌଣସି ଅଂଶରେ ଯାଦୁ ହେଲେ ଏହା ଦ୍ରୁତ ଗତିରେ ଦେହର ଅନ୍ୟ ଅଂଶକୁ ବ୍ୟାପିଚାଲୁଛି। ଯାଦୁ ଜଣକ ଦେହରୁ ଅନ୍ୟ ଜଣଙ୍କ ଶରୀରକୁ ମଧ୍ୟ ବ୍ୟାପିଥାଏ।  ଯେପରିକି, ଗୋଟେ ତଉଲିଆରେ ଯାଦୁର ଭୂତାଣୁ ଛଅମାସରୁ ଅଧିକ ସମୟ ଧରି ରହିଥାଏ। ଯଦି ସେହି ତଉଲିଆ ଆଉ କିଏ ବ୍ୟବହାର କରେ, ତେବେ ତାଙ୍କ ଦେହରେ ଯାଦୁର ଭୂତାଣୁ ବ୍ୟାପିଥାଏ। ଫଳରେ ଉକ୍ତ ବ୍ୟକ୍ତିଙ୍କ ଦେହରେ ଯାଦୁ ହୋଇଥାଏ।

ଯାଦୁ ସୃଷ୍ଟିକାରୀ ‘ଫଙ୍ଗସ୍’ କେଉଁଠି ରହେ? (Where does the infection creating fungi live in Odia)

ଫଙ୍ଗସ୍‌ ମଣିଷରୁ ମଣିଷକୁ ଯାଇପାରେ। ବର୍ତ୍ତମାନ ଯେଉଁ ଫଙ୍ଗସ୍‌ ଯାଦୁ ସୃଷ୍ଟି କରୁଛି, ସେହି ଫଙ୍ଗସ୍‌ ପଶୁଙ୍କ ଦେହରେ ଥାଏ। ଏହା ପଶୁଙ୍କ ଦେହରୁ ମଣିଷ ଶରୀରକୁ ଆସିଥାଏ। ମୋଟାମୋଟି କହିବାକୁ ଗଲେ, ପୂର୍ବରୁ ଯେଉଁ ଫଙ୍ଗସ୍‌ ଯାଦୁ ସୃଷ୍ଟି କରୁଥିଲା, ବର୍ତ୍ତମାନ ତା’ର ଚରିତ୍ରରେ ପରିବର୍ତ୍ତନ ଘଟିଛି।

ଔଷଧର ଅପବ୍ୟବହାର ଯୋଗୁଁ ଯାଦୁ ବଢୁଛି (Drugs misuse gives rise to fungal infection in Odia)

ରୋଗୀ ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ବ୍ୟବହାର କରିବାକୁ ଔଷଧର ଅପବ୍ୟବହାର ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରୁ କିଛି ଭିଡିଓ ଦେଖି ବା କୌଣସି ଜାଗାରୁ ପଢ଼ି ମନଇଛା ଔଷଧର ବ୍ୟବହାର କରିଥାଆନ୍ତି। ଏହାଦ୍ୱାରା ରୋଗ ଭଲ ହେବା ଦୂରର କଥା, ଏହା ତ୍ଵଚା ଉପରେ କୁପ୍ରଭାବ ପକାଇଥାଏ।

ଅଧିକ ପଢ଼ନ୍ତୁ: ଭାତୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି?

ଯାଦୁ ହେବାକୁ ରୋକିବା କେମିତି? (How to prevent fungal infection in Odia)

ଯାଦୁ ରୋକିବାକୁ ହେଲେ ନିଜ ବ୍ୟକ୍ତିଗତ ଜୀବନରେ କିଛିଟା ପରିବର୍ତ୍ତନ କରିବାକୁ ହେବ।

ସୂତା ଓ ଢିଲା ବସ୍ତ୍ର ପିନ୍ଧିବା।

ଡାକ୍ତରଙ୍କ ପରାମର୍ଶରେ ଔଷଧ ବ୍ୟବହାର କରିବା ଆବଶ୍ୟକ।

ଷ୍ଟିରୋଏଡ୍‌ ଥିବା କ୍ରିମ୍‌ ବିଲକୁଲ ବ୍ୟବହାର କରିବେ ନାହିଁ।

ଥଣ୍ଡା ପରିବେଶରେ ଏବଂ ବାୟୁଚଳାଚଳ କରୁଥିବା ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତୁ।

ନିଜର ବ୍ୟକ୍ତିଗତ ଜିନିଷ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ କିମ୍ବା ଅନ୍ୟ କାହାର ଜିନିଷ ନିଜେ ବ୍ୟବହାର କରନ୍ତୁ ନାହିଁ।

ନିଜ ପୋଷାକ ପତ୍ରକୁ ଗରମ ପାଣିରେ ଧୋଇ ସୂର୍ଯ୍ୟକିରଣରେ ଶୁଖାଇବା ଉଚିତ। ଏହାଦ୍ୱାରା ପୋଷାକରେ ଲାଗିଥିବା ଫଙ୍ଗସ୍‌ ମରିଯିବ।

ନିଜ ବେଡ୍‌ସିଟ୍‌ ଓ ତକିଆ ଖୋଳକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ।

ଘରକୁ ଓଦା କପଡ଼ାରେ ପୋଛନ୍ତୁ।

ଯାଦୁ କେମିତି ଭଲ ହେବ? (How can fungal infection be treated in Odia)

ନିଜେ ନିଜର ଚିକିତ୍ସା କରନ୍ତୁ ନାହିଁ। ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରନ୍ତୁ।

ଯେତିକି ସମୟ ପାଇଁ ଔଷଧ ଖାଇବାକୁ କୁହାଯାଇଛି, ସେତିକି ସମୟ ଯାଏଁ ଔଷଧ ସେବନ କରନ୍ତୁ।

ଡାକ୍ତର ଯେଉଁ ମଲମ ଲଗାଇବା ପାଇଁ ଦେଇଛନ୍ତି, ତାକୁ ଲଗାନ୍ତୁ। କେବେବି ମଲମକୁ ଅଧାରୁ ବନ୍ଦ କରନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନଗୋବିନ୍ଦ ଶ୍ରୀଚନ୍ଦନଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Fungal infection, in Odia language, is based on an extensive interview with a Senior Dermatologist Dr Managobinda Srichandan.