ଡାକ୍ତର ଇନ୍ଦିରା ପାଳ

ଯଦି କୌଣସି ଗର୍ଭବତୀ ମହିଳାଙ୍କର ଲକ୍ଷଣ ନ ଥାଇ ମଧ୍ୟ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ବାହାରେ କିମ୍ବା ଯେଉଁମାନଙ୍କଠାରେ କୋଭିଡ୍‌ର ସ୍ୱଳ୍ପ ଲକ୍ଷଣ ଦେଖାଯାଏ, ସେମାନଙ୍କୁ ଘରେ ପୃଥକ ବାସରେ ରଖି ଚିକିତ୍ସା କରାଯାଇପାରିବ। ସାମାନ୍ୟ ଜ୍ୱର, ଥଣ୍ଡା, କାଶ ସହିତ ଯଦି ପ୍ରତି ମିନିଟ୍‌ରେ ଶ୍ୱାସକ୍ରିୟା ହାର ୨୪ରୁ କମ୍‌ ରହିବା, ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ନ ହେବା ଏବଂ ଶରୀରରେ ଅମ୍ଳଜାନ ସ୍ତର ଶତକଡ଼ା ୯୪ ଭାଗରୁ ଅଧିକ ରହୁଥିଲେ ରୋଗୀମାନଙ୍କୁ ସ୍ୱଳ୍ପ ଲକ୍ଷଣଯୁକ୍ତ ବୋଲି ଧରି ନିଆଯାଏ।

ଗୃହ ପୃଥକବାସ ବା ହୋମ୍‌ ଆଇସୋଲେସନ୍‌ରେ ଗର୍ଭବତୀ ମହିଳାମାନେ କିପରି ରହିବେ?

୧- ବାୟୁ ଚଳାଚଳ କରୁଥିବା ଅଲଗା କୋଠରୀ ଏବଂ ଅଲଗା ପାଇଖାନା ବ୍ୟବହାର କରିବେ।

୨- ପରିବାରର ଜଣେ ସୁସ୍ଥ ବ୍ୟକ୍ତି ଗର୍ଭବତୀ ମହିଳାଙ୍କର ଯତ୍ନ ନେବେ।

୩- ରୋଗୀ ଏବଂ ସହାୟକ ଉଭୟ ୩ ପରସ୍ତ ବିଶିଷ୍ଟ ମାସ୍କ ବା ସର୍ଜିକାଲ ମାସ୍କ ବ୍ୟବହାର କରିବେ ଏବଂ ପରସ୍ପରଠାରୁ ୨ ମିଟର ଦୂରତା ବଜାୟ ରଖିବେ।

୪- ରୋଗୀର ଖାଇବା ପିଇବା ତାଙ୍କ କୋଠରୀରେ ଦିଆଯିବ।

୫- ରୋଗୀର ବ୍ୟବହୃତ ଜିନିଷ ଯେପରିକି ବାସନକୁସନ, ଲୁଗାପଟା, ବିଛଣାପତ୍ର ଏବଂ ମୋବାଇଲ ଆଦି ଜିନିଷ ଅନ୍ୟମାନେ ବ୍ୟବହାର କରିବେ ନାହିଁ।

୬- ରୋଗୀର ବାସନକୁସନ, ଲୁଗାପଟା ଭଲ ଭାବରେ ସାବୁନ ଦ୍ୱାରା ସଫା କରିବା ଆବଶ୍ୟକ।

pregnancy

ଅଧିକ ପଢ଼ନ୍ତୁ: ଗର୍ଭବତୀ ମହିଳା କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ?

୭- କୋଭିଡ୍ ରୋଗୀର ସହାୟକ ନିଜେ ଗୃହ ସଙ୍ଗରୋଧରେ ରହିବେ, ମାସ୍କ ପିନ୍ଧିବେ ଏବଂ ହାତକୁ ବାରମ୍ବାର ସାବୁନରେ ଧୋଇବେ।

୮- ଗର୍ଭବତୀ ମହିଳାମାନେ ପୂର୍ବରୁ ଖାଉଥିବା ଔଷଧ ଯେପରିକି ଫୋଲିକ୍‌ ଏସିଡ୍‌, ଆଇରନ୍‌ ଏବଂ କ୍ୟାଲସିୟମ୍‌ ବଟିକା ଖାଇପାରିବେ।

୯- ଶରୀରର ତାପମାତ୍ରା ଅମ୍ଳଜାନ ସ୍ତର, ରକ୍ତଚାପ, ଏବଂ ମିନିଟ୍‌ ପିଛା ଶ୍ୱାସକ୍ରିୟା ହାରର ରେକର୍ଡ କରିବେ।

୧୦- ଏହି ସମୟରେ ସେମାନେ ପ୍ରଚୁର ପାଣି ପିଇବେ। ଦିନକୁ ତିନିରୁ ଚାରି ଥର ଉଷୁମ ପାଣି ପିଇବେ, ୨-୩ ଥର ଉଷୁମ ପାଣି ବାମ୍ଫ ନେବେ ଏବଂ ନଖ ଉଷୁମ ପାଣି କୁଳି କରିବେ। ସହଜରେ ହଜମ ହୋଇଯାଉଥିବା ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ, ସମସ୍ତ ପ୍ରକାରର ତଟକା ଫଳ, ପନିପରିବା ଖାଇପାରିବେ ଏବଂ ଯଥେଷ୍ଟ ବିଶ୍ରାମ ନେବେ।

୧୧- ନିକଟସ୍ଥ କୋଭିଡ୍‌ କେୟାର ସେଣ୍ଟରର କୋଭିଡ୍‌ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆପଣଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ଏବଂ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇବେ।.

୧୨- ପୂର୍ବରୁ ଖାଉଥିବା ଔଷଧ ସହିତ ସେମାନେ ପାରାସିଟାମଲ ବଟିକା, ଭିଟାମିନ୍‌ ସି’ ଏବଂ ଜିଙ୍କ ଯୁକ୍ତ ଭିଟାମିନ୍‌ ବି ବ୍ୟବହାର କରିପାରିବେ।

୧୩- ଗୃହ ପୃଥକବାସ ସମୟରେ ଯଦି କୌଣସି ବିପଦସଙ୍କେତ ଦେଖାଯାଏ, ଯେପରିକି

  • ନିଶ୍ୱାସପ୍ରଶ୍ଵାସରେ ଅସୁବିଧା ହେବା
  • ପ୍ରତି ମିନିଟ୍‌ରେ ଶ୍ୱାସକ୍ରିୟା ହାର ଲଗାତାର ୨୪ରୁ ଅଧିକ ରହେ
  • ଶରୀରରେ ଅମ୍ଳଜାନ ସ୍ତର ଶତକଡ଼ା ୯୪ ପ୍ରତିଶତରୁ କମ୍‌ ରହେ
  • ଛାତିରେ ଯନ୍ତ୍ରଣା ଅନୁଭବ କଲେ
  • ଜ୍ୱର ୧୦୨ ଡିଗ୍ରୀରୁ ଅଧିକ ରହିଲେ ନିକଟସ୍ଥ କୋଭିଡ୍‌ କେୟାର ସେଣ୍ଟରକୁ ତୁରନ୍ତ ଯାଆନ୍ତୁ।

୧୪- ରୋଗୀ ଅନ୍ତତଃପକ୍ଷେ ୧୪ ଦିନ ପର୍ଯ୍ୟନ୍ତ ଗୃହ ପୃଥକବାସରେ ରହିବା ଜରୁରୀ।