କେଶ ଝଡ଼ିବା ଓ ଚନ୍ଦାପଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେବେ କେଶ ଝଡ଼ିବା ଏବଂ ଚନ୍ଦାପଣର କାରଣ କ’ଣ? ଏନେଇ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶଙ୍କ ପରାମର୍ଶ, ଜାଣନ୍ତୁ।

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। କେଶ ଝଡ଼ିବାର ମୁଖ୍ୟ କାରଣ ହେଲା ବଂଶଗତ, ଜଳବାୟୁ ପରିବର୍ତ୍ତନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଦେହ ଖରାପ ଥିଲେ। ମହିଳାଙ୍କଠାରେ ହରମୋନ ଅସନ୍ତୁଳନ ଯୋଗୁଁ କେଶ ଝଡ଼ିଥାଏ, ଯେପରିକି ଋତୁସ୍ରାବ ଅନିୟମିତତା, ଗର୍ଭନିରୋଧକ ବଟିକା ଖାଉଥିଲେ, ମାନସିକ ଚାପ, ଭିଟାମିନ୍‌ ଡି ଅଭାବ, ଖାଇବା ପିଇବା ଅନିୟମିତତା କିମ୍ବା ଥାଇରଏଡ୍‌ ସମସ୍ୟା ଥିଲେ ମଧ୍ୟ କେଶ ଝଡ଼ିଥାଏ।

ଏହାଛଡ଼ା ଅଟୋ ଇମ୍ୟୁନ୍‌ କାରଣରୁ ମଧ୍ୟ କେଶ ଝଡ଼ିଥାଏ।

କେଶ ଝଡ଼ିବା ଏବଂ ଚନ୍ଦାପଣ ମଧ୍ୟରେ ଫରକ (Difference between Hair Loss and Baldness in Odia)

ପୁରୁଷ ଲୋକଙ୍କ କ୍ଷେତ୍ରରେ ଦିନକୁ ୫ଟାରୁ ୨୦ଟା କେଶ ଝଡ଼ିବା ସାଧାରଣ କଥା। ମହିଳାଙ୍କ କ୍ଷେତ୍ରରେ ୫୦ଟାରୁ ୧୦୦ଟା କେଶ ଝଡ଼ିବା ସାଧାରଣ କଥା। ଯଦି ସମୟ ଅନୁସାରେ କେଶର ଗହଳ କମୁଛି ଏବଂ ଅଧିକରୁ ଅଧିକ କେଶ ଝଡ଼ୁଛି, ତେବେ ତାକୁ ଚନ୍ଦାପଣରେ ଗଣାଯିବ।

ଯଦି ମୁଣ୍ଡର ସାମ୍ନାରୁ କେଶ ଝଡ଼ିଗଲାଣି, ତାକୁ ଗ୍ରେଡ୍‌-୧ ଚନ୍ଦାପଣ କୁହାଯାଏ। ମୁଣ୍ଡର ମଝି ଅଂଶରୁ କେଶ ଝଡ଼ିଗଲେ, ତାକୁ ଗ୍ରେଡ୍‌-୨, ମୁଣ୍ଡର ମଝି ଅଂଶରୁ ଚୁଟି ଯିବାକୁ ଗ୍ରେଡ୍‌-୩ ଗ୍ରେଡ୍‌-୪ ଚନ୍ଦାପଣ ବୋଲି କୁହାଯାଏ।

ଅଧିକ ପଢ଼ନ୍ତୁ: ଖରାଦିନେ ତ୍ୱଚାର ଯତ୍ନ କିପରି ନେବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

କେଶ ଝଡ଼ିବାର ଚିକିତ୍ସା (Treatment for Hairfall/Hair Loss in Odia)

କେଶ ଝଡ଼ିବାର ଚିକିତ୍ସା କରିବା ପୂର୍ବରୁ ପ୍ରଥମେ ଦେଖିବାକୁ ହୁଏ ଯେ, କେଉଁ କାରଣ ଯୋଗୁଁ କେଶ ଝଡ଼ୁଛି। କେଶ ଝଡ଼ିବାର କାରଣ ଅନୁଯାୟୀ ଚିକିତ୍ସା ଭିନ୍ନ ଭିନ୍ନ।

ଯଦି ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ କେଶ ଝଡ଼ୁଛି, ତାହେଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ହେବ। ଭିଟାମିନ୍‌ ଡି ଅଭାବ ଯୋଗୁଁ କେଶ ଝଡ଼ୁଥିଲେ ସେନେଇ ଚିକିତ୍ସା କରାଯାଏ।

ଚନ୍ଦାପଣର ଚିକିତ୍ସା କେମିତି ହୁଏ? (Treatment for Baldness in Odia)

ଚନ୍ଦାପଣର ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ। ଜଣେ ଯଦି ଚନ୍ଦା ହୋଇଯାଇଛନ୍ତି ଏବଂ ନିଜ କେଶ ଫେରିପାଇବାକୁ ଚାହୁଁଛନ୍ତି, ତାହେଲେ ତାଙ୍କର ନିଜର କେଶକୁ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିଥାଏ।

ଯଦି ଜଣେ ସଙ୍ଗେ ସଙ୍ଗେ କେଶ ଆଣିବାକୁ ଚାହୁଁଛନ୍ତି, ତେବେ ଆର୍ଟିଫିସିଆଲ୍‌ ଅପରେସନ୍‌ କରିବାକୁ ହୋଇଥାଏ।

ସୁସ୍ଥ କେଶ ପାଇଁ ସୁସ୍ଥ ଲାଇଫଷ୍ଟାଇଲ (Healthy lifestyle for healthy hair in Odia)

ସୁସ୍ଥ କେଶ ପାଇଁ ସୁସ୍ଥ ଜୀବନଶୈଳୀ ଓ ଖାଦ୍ୟପେୟର ଆବଶ୍ୟକତା ରହିଛି। ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌, ଛଣାଛଣି, ତେଲ ମସଲା ଖାଦ୍ୟ, ମିଠା ଜାତୀୟ ଖାଦ୍ୟଠାରୁ ଦୂରେଇ ରହନ୍ତୁ।

ଖାଦ୍ୟରେ ସବୁଜ ପନିପରିବା, ଆଲମଣ୍ଡ, ଡାଲି, ଚିକେନ୍‌, ମାଛ, ଘିଅ, ପନିର ଖାଇବା କେଶ ପାଇଁ ଭଲ। ଏହାଛଡ଼ା ଦିନକୁ ୩୦ ମିନିଟ୍‌ ବ୍ୟାୟାମ କରିବା ଦରକାର। ଏହାଦ୍ୱାରା ସମ୍ପୂର୍ଣ୍ଣ ଶରୀରରେ ରକ୍ତସଞ୍ଚାଳନ ହୋଇଥାଏ।

ସପ୍ତାହକୁ ଥରେ କେଶକୁ ତେଲରେ ମସାଜ କରିବା ଦରକାର। ଏହାଦ୍ଵାରା କେଶ ମୂଳରେ ରକ୍ତ ସଞ୍ଚାଳନ ହୋଇପାରେ। ଏହାଛଡ଼ା ମାନସିକ ଚାପରୁ ଦୂରେଇ ରହନ୍ତୁ।

ପୋଷ୍ଟ କୋଭିଡ୍ କେଶ ଝଡ଼ିବାକୁ କିପରି ରୋକିବା? (How to prevent hair loss after Covid-19 recovery in Odia)

ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, କୋଭିଡ୍‌ରୁ ସୁସ୍ଥ ହେବା ପରେ ଅଧିକାଂଶ ଲୋକଙ୍କର କେଶ ଝଡ଼ୁଛି। ଏହାର କାରଣ ହେଉଛି କୋଭିଡ୍‌ ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି, ବିଭିନ୍ନ ପ୍ରକାର ମେଡିସିନ୍‌ ଖାଉଛନ୍ତି, କୋଭିଡ୍‌ ସଂକ୍ରମଣରକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟେିରୋଏଡ୍‌ ଦିଆଯାଉଛି, ଫଳରେ ଶରୀରର ମେଟାବଲିଜିମ୍‌ ପରିବର୍ତ୍ତନ ହେଉଛି, ତେଣୁ କେଶ ଝଡ଼ିବା ସ୍ୱାଭାବିକ। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ଆଇରନ୍‌ ଯୁକ୍ତ ଖାଦ୍ୟ, ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇପାରିବେ। ଏହାସହ କେତେକ ବାୟୋଟିନ୍‌ ସପ୍ଲିମେଣ୍ଟ, ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ଡି ସପ୍ଲିମେଣ୍ଟ ଖାଇପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟାର୍ଥ ପ୍ରକାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Hairfall & Baldness, in Odia language, is based on an extensive interview with a Cosmetologist Dr Satyartha Prakash.