ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଅଧିକ ଲୁଣ ଖାଇବା ଦ୍ୱାରା ଷ୍ଟୋମାକ କ୍ୟାନସର ହୁଏ।

କମ୍ ଲୁଣ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ ବେଶୀ ଲୁଣ ଖାଉଥିବା ବ୍ୟକ୍ତିମାନେ ଷ୍ଟୋମାକ କ୍ୟାନସରରେ ୬୮ ପ୍ରତିଶତ ବେଶୀ ପୀଡ଼ିତ ହୋଇଥାନ୍ତି। ଲୁଣ ଏବଂ ଲୁଣିଆ ଖାଦ୍ୟ ଷ୍ଟୋମାକ୍ କ୍ୟାନସରର କାରଣ ବୋଲି ଆମେରିକାନ ଇନଷ୍ଟିଚ୍ୟୁଟ ଫର କ୍ୟାନସର ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହି କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଜଣେ ବ୍ୟକ୍ତି ଦିନକୁ ୬ଗ୍ରାମ ଲୁଣ ଖାଇବା ଦରକାର। ଯେଉଁମାନେ କାର୍ଡ଼ିଓଭାସ୍କୁଲାର ଡିଜିଜରେ ପୀଡ଼ିତ ବା ଅଣାୟତ୍ତ ହାଇପର ଟେନସନ ରହିଛି ସେମାନେ ୩.୭୫ ଗ୍ରାମ ଲୁଣ ଖାଇବା ଆବଶ୍ୟକ। ମାଛ, ମାଂସ, ଆଚାର ଓ ଭାରତୀୟ ଖାଦ୍ୟରେ ରହିଥିବା ଅଧିକ ଲୁଣ ଖାଇବା ଯୋଗୁଁ ନାସୋଫାରିଞ୍ଜିଆଲ କ୍ୟାନସର ହେବାର ଆଶଙ୍କା ରହିଛି।

ଦେଶର ୧୨ଟି ମୁଖ୍ୟ କ୍ୟାନସର ରେଜିଷ୍ଟରୀରୁ ଆକଳନ କରାଯିବା ପରେ ଏହା ଜଣାପଡ଼ିଛି। ଗ୍ୟାଷ୍ଟ୍ରିକ କ୍ୟାନସର ୬.୮ରୁ ୮ ପ୍ରତିଶତ ହେଉଛି ଯାହା ଚିନ୍ତାଜନକ। ନାସୋଫାରିଞ୍ଜିଆଲ କ୍ୟାନସର ୧୫-୨୫ ଓ ୫୦-୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ବେଶୀ ଦେଖାଯାଉଥିବା ବେଳେ ଗ୍ୟାଷ୍ଟ୍ରିକ କ୍ୟାନସର ୬୦ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହେଉଛି।

କାହା ଯୋଗୁଁ ବେଶୀ ହୁଏ: ହେଲିକୋବେକ୍ଟର ପାଇଲୋରୀ, ରବର ଉତ୍ପାଦନରେ କାମ କଲେ, ଟବାକୋ ସ୍ମୋକିଂ, ଏକ୍ସ-ରାଡ଼ିଏସନ ଓ ଗାମା ରାଡ଼ିଏସନ୍। ଆଜବେଷ୍ଟସ, ଏପଷ୍ଟିନ୍ ବାର ଭାଇରସ୍, ନାଇଟ୍ରେଟ ଓ ନାଇଟ୍ରେଟ (ଏ), ଆଚାର, ଲୁଣି ମାଛ (ଚାଇନିଜ୍ ଷ୍ଟାଇଲ), ଲୁଣ ଓ ଲୁଣିଆ ଖାଦ୍ୟ

stomach pain

ଲକ୍ଷଣ: ପେଟରେ ଯନ୍ତ୍ରଣା, କମ୍ ଖାଇବା ପରେ ବି ପେଟ ଭର୍ତ୍ତି ହେବା ପରି ଲାଗିବା, ଛାତି ଜଳାପୋଡା ଓ ବଦହଜମୀ, କମ୍ ଭୋକ ଲାଗିବା, ଓଜନ ହ୍ରାସ ପାଇବା, ବାନ୍ତି କିମ୍ବା ରକ୍ତବାନ୍ତି ହେବା, ଏନିମିଆ।

ଷ୍ଟୋମାକ କ୍ୟାନସରର ଲକ୍ଷଣ ଆରମ୍ଭରୁ ଜଣାପଡ଼େନି। କେବଳ ପାଞ୍ଚ ଜଣରେ ଜଣଙ୍କର ଏହା ଜଣାପଡ଼ିଥାଏ। ପେଟରେ ସବୁବେଳେ ଯନ୍ତ୍ରଣା ହେବାର ରୋଗୀ ଜଣାଇବା ପରେ ଏହା ଆଗକୁ ଆସେ। ପେଟ ଭର୍ତ୍ତି ହେବା ପରି ଲାଗିବା ଓ ପେଟଫୁଲାରୁ ବି ଏହାକୁ ଜାଣିହୁଏ। ଯେତେବେଳେ ରୋଗ ବୋନ୍, ଲାମ୍ଫିନୋଡ ବା ଲିଭରକୁ ବ୍ୟାପେ ସେତେବେଳେ ଯନ୍ତ୍ରଣା ହୋଇଥାଏ। ଏବେ ଛାତି ପୋଡ଼ାଜଳା ଲକ୍ଷଣ ଦେଖାଦେବା ଓ ବଦହଜମୀରୁ ଏହା ବାରି ହେଉଛି। ପ୍ରାଥମିକ ସ୍ତରରେ ସର୍ଜରୀ ମାଧ୍ୟମରେ ଟ୍ୟୁମରକୁ କାଢ଼ି ଦିଆଯାଉଛି। ଯଦି କ୍ୟାନସର ଆଡ଼ଭାନ୍‌ସଡ଼ ଷ୍ଟେଜକୁ ଯାଇଥାଏ ତେବେ ତାହାକୁ ରେଡ଼ିଓଥେରାପୀ ଓ କେମୋଥେରାପୀ ଦ୍ୱାରା ଚିକିତ୍ସା କରାଯାଉଛି।

ଅଧିକ ଲୁଣ ଖାଇବା ଦ୍ୱାରା ଏଚ୍-ପାଇଲୋରି ସଂକ୍ରମଣ କିମ୍ବା ଷ୍ଟୋମାକକୁ କ୍ଷତି ହୋଇଥାଏ। ଏଚ-ପାଇଲୋରି ସଂକ୍ରମଣ ୬୦-୮୦ ପ୍ରତିଶତ ଗ୍ୟାଷ୍ଟ୍ରିକ କ୍ୟାନସରରେ ଦେଖାଯାଏ। ଗ୍ୟାଷ୍ଟ୍ରିକ କ୍ୟାନସର ବି ବେଶୀ ମସଲା ଖାଦ୍ୟରୁ ହୋଇଥାଏ। ସଂପ୍ରତି ଲୋକମାନଙ୍କ ଭିତରେ ବାହାର ଖାଦ୍ୟ, ଆମିଷ, ଗରିଷ୍ଠ ଓ ଫାଷ୍ଟଫୁଡ଼ ପ୍ରତି ଆଗ୍ରହ ବଢ଼ୁଥିବାରୁ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ସୁଷମ ଓ ସାତ୍ତ୍ୱିକ ଖାଦ୍ୟ ଖାଆନ୍ତୁ। ଫଳ, ତଟକା ପରିବା, ଶାଗ ବହୁତ ଭଲ। ଅତ୍ୟଧିକା ମିଠା, ରାଗ ମସଲା, ତେଲ, ଲୁଣ ଓ ଯେକୌଣସି ପ୍ରକାର ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ। ଲୁଣି ଖାଦ୍ୟ ଓ ପାନୀୟ ଠାରୁ ଦୂରେଇ ରୁହନ୍ତୁ। କୌଣସି ପ୍ରକାରର ଅସ୍ୱାସ୍ଥକର ଅବସ୍ଥା ସାମ୍ନା କଲେ ବା ପେଟ ଯନ୍ତ୍ରଣା ସମସ୍ୟା ଦେଖାଦେଲେ ତୁରନ୍ତ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।