ଶୀତଦିନେ ସାଧାରଣତଃ ନାକ ବନ୍ଦ ହେବା, ନାକରୁ ପାଣି ଗଡ଼ିବା, ବାରମ୍ବାର ଛିଙ୍କ ହେବା, ମୁଣ୍ଡ ବ୍ୟଥା ହେବା ଓ ଜ୍ୱର ହେବା ଭଳି ଲକ୍ଷଣ ଦେଖାଦିଏ। ଏହାଛଡ଼ା ଟନ୍‌ସିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଦେଖାଦିଏ। ଏହା କାହିଁକି ହୁଏ? ଏହାର ନିରାକରଣ ଓ ଚିକିତ୍ସାକୁ ନେଇ କର୍ଣ୍ଣ ନାଶା ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର ଖଟୁଆ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଶୀତଦିନେ ବନ୍ଦ ନାକ, ଛିଙ୍କ, ନାକରୁ ପାଣି ଗଡ଼ିଥାଏ କାହିଁକି? (Why do runny nose, sneezes, runny nose in winter in Odia)

ମୁଖ୍ୟତଃ ଆଲର୍ଜି କ୍ରାଇନାଇଟିସ୍‌ ଏକ ବଡ଼ ସମସ୍ୟା। ପ୍ରଦୂଷଣ, ଧୂଳି, ଧୂଆଁ ଯୋଗୁଁ ଲୋକଙ୍କୁ ଆଲର୍ଜି ହୋଇଥାଏ, ଯାହାକୁ ଡଷ୍ଟ ଆଲର୍ଜି କୁହାଯାଏ। ଆଲର୍ଜି କ୍ରାଇନାଇଟିସ୍‌ରେ ନାକରୁ ପାଣି ବାହାରେ, ବାରମ୍ବାର ଛିଙ୍କ ହୋଇଥାଏ। ହାଉସ୍‌ ଡଷ୍ଟ ମାଇଟ୍‌ କାରଣରୁ ମଧ୍ୟ ଆଲର୍ଜି ହୋଇଥାଏ। ଯେପରିକି ଘରେ କମ୍ବଳ, ବେଡ୍‌ସିଟକୁ ବହୁତ ଦିନ ଧରି ସଫା ନ କଲେ ବା ଖରାରେ ନ ଶୁଖାଇଲେ ସେଥିରେ ଏକ ପ୍ରକାର କୀଟ ବଢ଼େ। ଏହା ଯୋଗୁଁ ମଧ୍ୟ ଆଲର୍ଜି ହୋଇପାରେ। ଯଦି ଆପଣ ମସିଣାକୁ ବହୁ ଦିନ ଧରି ସଫା ନ କରିବେ ବା ଅଧିକ ଦିନ ପରେ ନ ସଫା କରିବା ନ ଝାଡ଼ି ବ୍ୟବହାର କରିବେ, ତେବେ ସେଥିରେ କୀଟ ବଢ଼ିଯାଇଥା’ନ୍ତି। ଫଳରେ ଆଲର୍ଜି ହୋଇଥାଏ।

କେତେକ ଫୁଲରୁ ପୋଲେନ୍‌ ଧୂଳି ବାହାରେ। ସେଥିରୁ ମଧ୍ୟ ଲୋକଙ୍କୁ ଆଲର୍ଜି ହୋଇଥାଏ। କେତେକ ଲୋକଙ୍କୁ ଗୃହପାଳିତ ପଶୁ ସଂସ୍ପର୍ଶରେ ଆସିଲେ ମଧ୍ୟ ଆଲର୍ଜି ହୋଇଥାଏ।

ହ୍ୱାଟ୍‌ସଆପ୍‌ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍‌। ଲିଙ୍କରେ କ୍ଲିକ୍‌ କରନ୍ତୁ:https://bit.ly/SubscribeToSwasthyaPlusOdia

ନାକ ସମସ୍ୟାର ନିରାକରଣ ଓ ଚିକିତ୍ସା (Prevention and treatment of nose problems in Odia)

ଆଲର୍ଜିର ନିରାକରଣ କରିବା ପାଇଁ ଧୂଳିରୁ ଦୂରେଇ ରହିବା ଆବଶ୍ୟକ। ବାହାରକୁ ଯାଉଥିଲେ ମାସ୍କର ବ୍ୟବହାର କରନ୍ତୁ। ଘରର ତକିଆ, ବେଡ୍‌ସିଟ୍‌. ମସିଣାକୁ ସଫା କରନ୍ତୁ। ଠିକ୍‌ ସମୟରେ ଆଲର୍ଜି କ୍ରାଇନାଇଟିସ୍‌ର ନିରାକରଣ ନ କଲେ ସାଇନୋସାଇଟିସ୍‌ ହେବ। ବ୍ୟାକ୍ଟେରିଆଲ ସାଇନୋସାଇଟିସ୍‌ ହେଲେ ନାକରେ ପୁଜ ହେବ। ତେଣୁ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରିବାର ଆବଶ୍ୟକତା ରହିଛି।

 ଛୋଟ ଛୁଆଙ୍କଠାରେ ଆଲର୍ଜି କ୍ରାଇନାଇଟିସ୍‌ ଥିଲେ ତା’ର ଚିକିତ୍ସା କରିବାର ଆବଶ୍ୟକତା ରହିଛି। କାରଣ ଛୋଟ ଛୁଆଙ୍କର ନାକ ବନ୍ଦ ହେଲେ କାନ ପାଚିବା, କାନର ପରଦା ଫାଟିବା ଭଳି ସମସ୍ୟା ଉପୁଜିପାରେ।

ଛୋଟ ପିଲାଙ୍କର ନାକ ବନ୍ଦ କାହିଁକି ହୁଏ? (Why do small children have nasal congestion in Odia)  

ଛୋଟ ଛୁଆଙ୍କର ନାକ ପଛପଟେ ଆଡନଏଡ୍‌ ଗ୍ରନ୍ଥି ଥାଏ। ଏହା ଏକ ଲିମ୍ଫୋଏଡ୍‌ ଟିସ୍ୟୁ। ଏହି ଗ୍ରନ୍ଥି ବଢ଼ିଗଲେ ଛୁଆ ନିଶ୍ୱାସ ଠିକ୍‌ ଭାବେ ନେଇପାରନ୍ତି ନାହିଁ। ଫଳରେ ଛୁଆ ନାକ ବାଟେ ନିଶ୍ୱାସ ନ ନେଇ ପାଟି ବାଟେ ନିଶ୍ୱାସ ନିଅନ୍ତି। ଏହି ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ, ଛୁଆର ଶରୀରରେ ପରିବର୍ତ୍ତନ ହୋଇପାରେ। ଏହି ସମସ୍ୟାରେ ଦାନ୍ତ ଫାଙ୍କା ହୋଇଯାଏ, ପାଟିର ଉପର ଭାଗ ଉଚ୍ଚା ହୋଇଯାଏ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।  

ଅଧିକ ପଢ଼ନ୍ତୁ: ଟନ୍‌ସିଲାଇଟିସ୍ କ’ଣ?

ଡାକ୍ତରଙ୍କୁ ପରାମର୍ଶ କରନ୍ତୁ (Consult a doctor)

ଯେକୌଣସି ସମସ୍ୟା ହେଲେ ସବୁବେଳେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ବ୍ୟବହାର କରନ୍ତୁ। କେତେକ ଲୋକ ନାକ ଜାମ୍‌ ହେଲେ ପାଖ ମେଡିସିନ୍‌ ଷ୍ଟୋର ଯାଇ ଅଟ୍ରିଭିନ୍‌ ନାଜାଲ ଡ୍ରପ୍‌ ଆଣି ବ୍ୟବହାର କରିଥା’ନ୍ତି। ଅଟ୍ରିଭିନ୍‌ରେ ଜାଇଲୋମେଟାଜୋଲିନ୍‌ ଭଳି ତତ୍ୱ ଥାଏ, ଯାହା ଅଧିକ ଦିନ ଧରି ନାକରେ ପକାଇବା ଉଚିତ ନୁହେଁ। ଜାଇଲୋମେଟାଜୋଲିନ୍‌କୁ ଅଧିକ ଦିନ ଧରି ବ୍ୟବହାର କଲେ ରାଇନାଇଟିସ୍‌ ମେଡିକାମେଣ୍ଟୋସୋ (Rhinitis medicamentosa) ରୋଗ ହେବାର ଆଶଙ୍କା ଥାଏ। ଏହି ରୋଗ ହେଲେ ନାକର ମାଂସ ଖାଇଯାଏ। ତେଣୁ ନିଜ ଇଛାରେ କୌଣସି ମେଡିସିନ୍‌ ବ୍ୟବହାର କରନ୍ତୁ ନାହିଁ।

ଗଳା ସଂକ୍ରମଣ (ଟନ୍‌ସିଲାଇଟିସ୍‌) କାରଣ ଓ ନିରାକରଣ (Throat infection (tonsillitis) causes and remedies in Odia)

ବାହ୍ୟ ସଂକ୍ରମଣ ଯୋଗୁଁ ଟନ୍‌ସିଲାଇଟିସ୍‌ ହୋଇପାରେ। ହାତ ସଫା ନ କଲେ, ମଇଳା ହାତକୁ ବାରମ୍ବାର ପାଟିରେ ପୁରାଇଲେ, ବାହାରୁ ଆସିଲେ ହାତ ସଫା ନ କରିବା ଦ୍ୱାରା ଟନ୍‌ସିଲାଇଟିସ୍‌ ହୋଇପାରେ। ଟନ୍‌ସିଲାଇଟିସ୍‌ର ଚିକିତ୍ସା ଠିକ୍‌ ସମୟରେ ନ କଲେ ଟନ୍‌ସିଲ୍‌ ବଡ଼ ହୋଇଯାଏ ଓ ସେଥିରେ ପୁଜ ହୋଇଯାଏ। ପୁର ହୋଇଗଲେ ଅପରେସନ୍‌ କରିବାକୁ ପଡ଼ିଥାଏ। ଯଦି ତଣ୍ଟି ବଥା ହୁଏ, ଖାଦ୍ୟ ଢୋକିବା ବେଳେ ଅସୁବିଧା ହୁଏ, ଜ୍ୱର ଆସେ ତାହାହେଲେ ଜାଣିବେ ଏହା ଟନ୍‌ସିଲାଇଟିସ୍‌ର ଲକ୍ଷଣ।

ବଡ଼ ଟନ୍‌ସିଲାଇଟିସ୍‌ ହେଲେ ନିଶ୍ୱାସ ନେବାରେ ଅସୁବିଧା ହୁଏ, ରାତିରେ ଘୁଙ୍ଗୁଡ଼ି ଆସେ। ଛୋଟ ପିଲାଙ୍କର ଟନ୍‌ସିଲ ହେଲେ ଜ୍ୱର  ହୁଏ, ତଣ୍ଟି ବଥା ହୁଏ, ଯେତିକି ଖାଇବା କଥା ସେତିକି ଖାଇବେ ନାହିଁ। ତେଣୁ, ଛୋଟ ଛୁଆଙ୍କର ଟନ୍‌ସିଲ  ହେଲେ ଡାକ୍ତରଙ୍କୁ ଦେଖାଇବା ଜରୁରୀ।

ଟନ୍‌ସିଲାଇଟିସ୍‌ର ନିରାକରଣ କରିବା ପାଇଁ ନିୟମିତ ହାତ ଧୋଇବେ, ଥଣ୍ଡା ପାଣି ପିଇବେ ନାହିଁ, ଉଷୁମ ଖାଦ୍ୟ ଖାଇବେ, ଉଷୁମ ପାଣି ପିଇବେ। ଏହାଦ୍ୱାରା ଟନ୍‌ସିଲାଇଟିସ୍‌କୁ ରୋକାଯାଇପାରିବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Ear, Nose & Throat Problems, in Odia language, is based on an extensive interview with a ENT specialist Dr Rabindra Kumar Khatua.