କୋଭିଡ୍ ନିୟମ ପାଳନ କଲେ ହିଁ ମହାମାରୀକୁ ନିୟନ୍ତ୍ରଣକୁ ଆଣିପାରିବା ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

  • କୋଭିଡ୍ ପଜିଟିଭ୍ ହେଲେ ଛାନିଆ ହୋଇ ହସ୍ପିଟାଲ୍ ଆସିବା ଆବଶ୍ୟକ ନାହିଁ
  • ପଜିଟିଭ୍ ବାହାରିଲେ ଘରେ ରହି ଚିକିତ୍ସା ହୋଇପାରିବେ
  • ରାଜ୍ୟରେ କୋଭିଡ୍ ଔଷଧ ଓ ଅକ୍ସିଜେନେ ଯଥେଷ୍ଟ ମହଜୁଦ୍ ଅଛି : ଅତିରିକ୍ତ ମୁଖ୍ୟ ଶାସନ
  • ରାଜ୍ୟକୁ ଟିକା ଆସିଲା ପରେ ହେବ ଟିକାକରଣ

ସାରା ଦେଶରେ ଏବେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି। ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା ନଥିଲା। ତେଣୁ କୋଭିଡ୍ ନିୟମ ପାଳନ କଲେ ହିଁ ମହାମାରୀକୁ ନିୟନ୍ତ୍ରଣକୁ ଆଣିପାରିବା ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

କୋଭିଡ୍‌ ମହାମାରୀକୁ ସାହସର ସହ କିପରି ସାମ୍ନା କରିବା ସେନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍‌ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଭାଗ ନେଇଥଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେ ଓଡ଼ିଶାରେ କୋଭିଡ୍‌ର ସ୍ଥିତି ବିଷୟରେ କହିବା ସହ ରାଜ୍ୟବାସୀଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: କରୋନାରୁ ସୁସ୍ଥ ହେବାର କେତେ ଦିନ ପରେ ନେବେ ଟିକା?

ଓଡ଼ିଶାର ସ୍ଥିତି ଭଲ ଅଛି, ଆଗକୁ କ’ଣ ହେବ କହିହେବ ନାହିଁ

ଓଡ଼ିଶାରେ କୋଭିଡ୍‌ର ସ୍ଥିତି ବିଷୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି,”କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮ ପ୍ରତିଶତ ରହିଛି। ତେଣୁ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲରେ ଅଛି। ପଶ୍ଚିମବଙ୍ଗ, ଛତିଶଗଡ଼ ସୀମା ସିଲ୍ କରି ରାଜ୍ୟର ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଆଗକୁ କ’ଣ ହେବ କିଛି କହିହେବ ନାହିଁ। ତେଣୁ କୋଭିଡ୍ ନିୟମ ପାଳନ କଲେ ହିଁ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା।”

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଓଡ଼ିଶା ଠିକ ଅବସ୍ଥାରେ ଅଛି। ରାଜ୍ୟରେ ଏବେ ୩୩ ପ୍ରତିଶତ ସାଧାରଣ ବେଡ୍, ୬୯ ପ୍ରତିଶତ ଆଇସିୟୁ, ୩୫ ପ୍ରତିଶତ ଭେଣ୍ଟିଲେଟର ବ୍ୟବହୃତ ହେଉଛି।

ଗୁରୁତର ରୋଗୀ ହିଁ ହସ୍ପିଟାଲ ଆସନ୍ତୁ

ରାଜ୍ୟବାସୀଙ୍କୁ କୋଭିଡ୍ ବିଷୟରେ ପରାମର୍ଶ ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି “କୋଭିଡ୍ ରିପୋର୍ଟ ପଜିଟିଭ୍ ହେଲେ ଛାନିଆ ହୋଇ ହଠାତ୍ ହସ୍ପିଟାଲ ଆସିବା ଦରକାର ନାହିଁ। ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହୋଇପାରିବେ। କେବଳ ଗୁରୁତର ରୋଗୀମାନେ ହିଁ ହସ୍ପିଟାଲକୁ ଆସିବା ଦରକାର।”

ଅଧିକ ପଢ଼ନ୍ତୁ: କରୋନାର ଦ୍ୱିତୀୟ ଲହରୀ – କେତେବେଳେ ଡାକ୍ତରଖାନା ଯିବା ଆବଶ୍ୟକ?

ରାଜ୍ୟରେ ମହଜୁଦ୍ ଅଛି କୋଭିଡ୍ ଔଷଧ ଓ ଅକ୍ସିଜେନ୍

ଦୈନିକ ରାଜ୍ୟରେ ୧୨ଶହ ରେମଡେସିଭିର ଦରକାର ହେଉଛି। ରାଜ୍ୟରେ ଏବେ ୪୩ ହଜାର ରେମଡେସିଭିର ଷ୍ଟକ ଅଛି। ଶନିବାର ଆଉ ୨୧ ହଜାର ରେମଡେସିଭିର ପହଞ୍ଚିବ। ତେବେ ରେମଡେସିଭିରର ଯେଉଁ ଅଭାବ କଥା କୁହାଯାଉଛି, ସେ ସବୁ ଘରୋଇ ହସ୍ପିଟାଲରେ ରହିଥିବା ଏସିଏସ୍ ସ୍ପଷ୍ଟ କରିଛନ୍ତି। ସେହିପରି ଆଗାମୀ ୨ ମାସ ପାଇଁ ପିପିଇ କିଟ୍, ମାସ୍କ, ଗ୍ଲୋଭସ୍ ଆଦିର ଷ୍ଟକ୍ ଅଛି। ବର୍ତ୍ତମାନ ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଅଛନ୍ତି।

ସେହିପରି ରାଜ୍ୟରେ ଅକ୍ସିଜେନର ମଧ୍ୟ କୌଣସି ଅଭାବ ନାହିଁ। କୌଣସି ହସ୍ପିଟାଲରେ ସିଲିଣ୍ଡର ଯେମିତି ଖାଲି ରହିବନି, ସେନେଇ ସମସ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଏସିଏସ୍ କହିଛନ୍ତି।

ରାଜ୍ୟକୁ ଟିକା ଆସିଲା ପରେ ହେବ ଟିକାକରଣ

ରାଜ୍ୟରେ ଏବେ ଦିନକୁ ୩ରୁ ୪ ଲକ୍ଷ କୋଭିଡ୍ ଟିକାକରଣ କ୍ଷମତା ରହିଛି। ସେହିପରି ରାଜ୍ୟରେ ଟିକାର ୱେଷ୍ଟେଜ୍ ମଧ୍ୟ ମାଇନସ୍ ରହିଛି। କିନ୍ତୁ ମେ’ ପହିଲାରୁ ପ୍ରାପ୍ତ ବୟସର ନାଗରିକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଉଥିବା ବେଳେ ରାଜ୍ୟରେ ଏବେ ମାତ୍ରାଧିକ ଟିକା ଷ୍ଟକ୍ ନାହିଁ। ତେଣୁ ଟିକା ଯୋଗାଇବାକୁ ଉତ୍ପାଦକ କମ୍ପାନିକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ତେବେ ପ୍ରଥମ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିମାନେ ଦ୍ଵିତୀୟ ଡୋଜ୍ ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ ବାଟ ଛାଡ଼ନ୍ତୁ। କାହିଁକି ନା ଠିକ ସମୟରେ ଦ୍ୱିତୀୟ ଡୋଜ ନ ନେଲେ ଟିକା ଅକାମୀ ହେବାର ଆଶଙ୍କା ରହିଥିବା ଏସିଏସ୍ କହିଛନ୍ତି।

ସୌଜନ୍ୟ: ଓଡ଼ିଶାଲାଇଭ୍‌