ଉଭୟ ପୁରୁଷ ଓ ମହିଳା ୟୁରିନ୍ ଇନ୍‌ଫେକ୍ସନର ଶିକାର ହୁଅନ୍ତି। ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ପରିସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ତେବେ କାହିଁକି ହୁଏ ୟୁରିନ୍ ଇନ୍‌ଫେକ୍ସନ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଡାକ୍ତର ବିଶ୍ୱଜିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (URINARY TRACT INFECTIONS: CAUSES, SYMPTOMS, DIAGNOSIS, PREBENTIONS AND TREATMENT IN ODIA)

କିଡ୍‌ନି, ୟୁରେଟର, ବ୍ଲାଡରକୁ ନେଇ ଆମ ଶରୀରର ୟୁରିନାରୀ ଟ୍ରାକ୍ଟ ତିଆରି ହୋଇଛି। ଏ ମଧ୍ୟରୁ ଯେକୌଣସି ଅଙ୍ଗ ସଂକ୍ରମଣ ହେଲେ ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ କୁହାଯାଏ। କିନ୍ତୁ ସାଧାରଣତଃ ୟୁରିନାରୀ ବ୍ଲାଡର ବା ମୂତ୍ରାଶୟରେ ସଂକ୍ରମଣ ହୋଇଥାଏ। ମୂତ୍ରାଶୟରେ ସଂକ୍ରମଣ ହେଲେ ତାହାକୁ ୟୁରିନ୍‌ ଇନ୍‌ଫେକ୍ସନ ବୋଲି କହିଥାଉ।

ସାଧାରଣତଃ ୟୁରିନ ଇନ୍‌ଫେକ୍ସନ ଜୀବାଣୁ ସଂକ୍ରମଣ ଦ୍ୱାରା ହୋଇଥାଏ। ବାହ୍ୟ ବ୍ୟାକ୍ଟେରିଆଗୁଡ଼ିକ ମୂତ୍ରନଳୀ ଦେଇ ମୂତ୍ରାଶୟକୁ ସଂକ୍ରମଣ କରନ୍ତି ଯାହା ଫଳରେ ପରିସ୍ରା ସଂକ୍ରମଣ ହୋଇଥାଏ।

ୟୁରିନ୍‌ ଇନ୍‌ଫେକ୍ସନର କାରଣ? (Causes of Urinary tract infections in Odia)

କୋଷ୍ଠକାଠିନ୍ୟ ସମସ୍ୟା ଯୋଗୁଁ ୟୁରିନ୍‌ ଇନ୍‌ଫେକ୍ସନ ହୋଇପାରେ।

ଡାଏବେଟିସ୍‌ ଥିଲେ ୟୁରିନ୍‌ ଇନ୍‌ଫେକ୍ସନ ହେବାର ଆଶଙ୍କା ଅଧିକ ଥାଏ।

ପରିସ୍ରା ରାସ୍ତାରେ ଷ୍ଟୋନ୍‌ କିମ୍ବା ଟ୍ୟୁମର ହୋଇଥିଲେ ୟୁରିନ୍‌ ଇନ୍‌ଫେକ୍ସନ ହୋଇପାରେ।

ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଦିଏ ୟୁରିନ୍‌ ଇନ୍‌ଫେକ୍ସନ। ୧୫ରୁ ୪୫ ବର୍ଷର ମହିଳାମାନେ ପ୍ରାୟତଃ ୟୁରିନ୍‌ ଇନ୍‌ଫେକ୍ସନର ଶିକାର ହୋଇଥା’ନ୍ତି। କିନ୍ତୁ ବେଳେ ବେଳେ ପାଣି, ମିଶିରି ପାଣି ପିଇବା ଦ୍ୱାରା ୟୁରିନ୍‌ ଇନ୍‌ଫେକ୍ସନ୍‌ ଭଲ ହୋଇଯାଇଥାଏ।

କିଛି କ୍ଷେତ୍ରରେ ଲୋକଙ୍କୁ କ୍ରୋନିକ୍‌ ୟୁରିନ୍‌ ଇନ୍‌ଫେକ୍ସନ ହୋଇଥାଏ ଯାହା ଔଷଧ ଖାଇଲେ କମିବ ନାହିଁ। ନଚେତ୍‌ ମେଡିସିନ୍‌ ଖାଇଲେ ଭଲ ହୋଇଯିବ ଓ ଛାଡ଼ିଦେଲେ ପୁଣି ହେବ। ଜଣକର ବର୍ଷକରେ ଦୁଇରୁ ତିନିଥର ବା ତା’ଠାରୁ ଅଧିକ ପରିସ୍ରା ସଂକ୍ରମଣ ହେଲେ ରିକରେଣ୍ଟ ୟୁରିନ୍‌ ଇନ୍‌ଫେକ୍ସନ ହୋଇଥାଏ।

ବୟସ୍କମାନେ ଅଧିକ ୟୁରିନ୍‌ ଇନ୍‌ଫେକ୍ସନର ଶିକାର ହୋଇଥା’ନ୍ତି। କାରଣ ସେମାନଙ୍କ ବୟସ କ୍ରମେ ପରିସ୍ରା ଧୀରେ ଧୀରେ କମିଯାଏ ଫଳରେ ସେମାନଙ୍କ ମୂତ୍ରାଶୟରେ ପରିସ୍ରା ରହିଯାଏ ଓ ସେମାନେ ତାହା ଜାଣିପାରନ୍ତି ନାହିଁ। ଏହା ମୂତ୍ର ସଂକ୍ରମଣର କାରଣ ହୋଇଥାଏ।

ପରୀକ୍ଷାରୁ ଜାଣନ୍ତୁ ମୂତ୍ରାଶୟ ସଂକ୍ରମଣ ସମ୍ପର୍କରେ

ସାଧାରଣତଃ ୟୁରିନ୍‌ ଇନ୍‌ଫେକ୍ସନ ହୋଇଥିଲେ କୌଣସି ପରୀକ୍ଷା କରିବାକୁ ପଡ଼େ ନାହିଁ। ଲକ୍ଷଣକୁ ଦେଖି ଔଷଧ ଖାଇଲେ ଇନ୍‌ଫେକ୍ସନ ଭଲ ହୋଇଥାଏ। ହେଲେ ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ ହୋଇଥିଲେ ରକ୍ତପରୀକ୍ଷା, ୟୁରିନ କଲ୍‌ଚର, ଅଲଟ୍ରାସାଉଣ୍ଡ କରାଯାଏ।

urine infection

ୟୁରିନ ଇନ୍‌ଫେକ୍ସନର ଲକ୍ଷଣ (Symptoms of Urinary tract infections in Odia)

ବାରମ୍ବାର ପରିସ୍ରା ଲାଗିବା

ପରିସ୍ରା କରିବା ସମୟରେ ଜ୍ୱଳାପୋଡ଼ା ହେବା

ପରିସ୍ରାରେ ରକ୍ତ ପଡ଼ିବା

ଜ୍ୱର ହେବା

ଯଦି ୟୁରିନ୍‌ ଇନ୍‌ଫେକ୍ସନ ଗୁରୁତର ହୁଏ, ତା’ହେଲେ ଅତ୍ୟଧିକ ଜ୍ୱର ସହ ରକ୍ତଚାପ କମିପାରେ ଯାହାକୁ ୟୁରୋସେପ୍‌ସିସ୍‌ କହିଥାଉ  । ଏହା ହେଲେ ରୋଗୀଙ୍କୁ ଆଇସିୟୁରେ ଆଡମିଟ୍‌ କରାଯାଏ।

ୟୁରିନ୍‌ ଇନ୍‌ଫେକ୍ସନର ଚିକିତ୍ସା (Treatment of Urinary tract infections Odia)

ୟୁରିନ୍‌ ଇନ୍‌ଫେକ୍ସନର ଚିକିତ୍ସା କରିବା ପାଇଁ ପ୍ରଥମେ ସଂକ୍ରମଣର କାରଣ ଜାଣିବାକୁ ପଡ଼ିଥାଏ। ଡାଏବେଟିସ୍‌ ଥିଲେ ଏହାକୁ ନିୟନ୍ତ୍ରଣ କରିବାକୁ ହେବ। କୋଷ୍ଠକାଠିନ୍ୟ ଥିଲେ ଏହାର ନିରାକରଣ କରିବା ଦରକାର। ପାଣି ଯଥେଷ୍ଠ ମାତ୍ରାରେ ପିଇବାକୁ ପଡ଼ିବ। ମୂତ୍ରନଳୀରେ ଷ୍ଟୋନ୍‌ ହୋଇଥିଲେ ଏହାର ଚିକିତ୍ସା କରିବାକୁ ପଡ଼ିଥାଏ। ଏହାର ଚିକିତ୍ସା କରିବା ସହ ଆଣ୍ଟିବାୟୋଟିକ ବ୍ୟବହାର କରି ପରିସ୍ରା ସଂକ୍ରମଣର ଚିକିତ୍ସା କରାଯାଏ।

କେତେକ କ୍ଷେତ୍ରରେ ପରିସ୍ରା ସଂକ୍ରମଣ ଲମ୍ବା ସମୟ ପାଇଁ ହୋଇଥାଏ। ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା କରନ୍ତୁ।

ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ ହେଲେ କିଡ୍‌ନି ଖରାପ ହୋଇଥାଏ କି? (Does kidney disease get worse if you have frequent urinary tract infections in Odia)

କେବଳ ୟୁରିନ୍‌ ଇନ୍‌ଫେକ୍ସନ ହେଲେ କିଡ୍‌ନି ଖରାପ ହୋଇ ନଥାଏ। ଯଦି ପରିସ୍ରା ସଂକ୍ରମଣ ସହ ଜ୍ୱର ହୁଏ, ତେବେ ଏହାର ଚିକିତ୍ସା କରିବା ଦରକାର। କାରଣ କିଡ୍‌ନି ପ୍ରଭାବିତ ହେଲେ ହିଁ ଜ୍ୱର ହୁଏ। ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ ସହ ଜ୍ୱର ହେଲେ କିଡ୍‌ନି ଖରାପ ହେବାର ଆଶଙ୍କା ରହିଛି।

ଅନେକ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୁଏ ଯେ ସର୍ବସାଧାରଣ ଶୌଚାଳୟ ବ୍ୟବହାର କଲେ ୟୁରିନ୍‌ ଇନ୍‌ଫେକ୍ସନ ହେବ କି?

ପୁରୁଷମାନଙ୍କ କ୍ଷେତ୍ରରେ ଏହାର ଆଶଙ୍କା ବହୁତ କମ୍‌। ସର୍ବସାଧାରଣ ସ୍ଥାନରେ ମହିଳାମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ହେବ।

water

ୟୁରିନ୍‌ ଇନ୍‌ଫେକ୍ସନର ନିରାକରଣ (Prevention of Urinary tract infections in Odia)

ଯଥେଷ୍ଠ ପରିମାଣର ପାଣି ପିଇବା ଦରକାର।

ପରିସ୍ରାର ଧାରା ଠିକ୍‌ ନଥିଲେ, ଚିକିତ୍ସା କରିବେ।

ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ଜରୁରୀ।

କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଏହାର ନିରାକରଣ କରନ୍ତୁ।

ସୁସ୍ଥ ଲାଇଫ୍‌ଷ୍ଟାଇଲ୍‌ ଆପଣାନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବିଶ୍ୱଜିତ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on causes, symptoms, preventions and treatment of Urin infections based on the interview with Dr Biswajit Nanda, Consultant Urology, Andrology and Kidney Transplant Surgeon.