କୋଭିଡ୍‌ର ନୂଆ ଲକ୍ଷଣ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ କୁମାର ପତି କ’ଣ କହୁଛନ୍ତି, ଜାଣନ୍ତୁ।

କୋଭିଡ୍‌ର ଦ୍ୱିତୀୟ ଲହରରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ନୂଆ ନୂଆ ଲକ୍ଷଣ ଦେଖା ଦେଉଛି। ପୂର୍ବରୁ ଲୋକଙ୍କ ପାଖରେ ଜ୍ୱର, ଥଣ୍ଡା, ଗଳାରେ ଯନ୍ତ୍ରଣା, ଦେହ ହାତ ବଥା ହେବା, ଦୁର୍ବଳ ଲାଗିବା, ସ୍ୱାଦ ଓ ବାସ୍ନା ନ ବାରିପାରିବା, ଭୋକ ନହେବା, ମୁଣ୍ଡ ବିନ୍ଧିବା ଇତ୍ୟାଦି ଲକ୍ଷଣ ଦେଖାଗଲେ କରୋନା ଟେଷ୍ଟ କରୁଥିଲେ। କିନ୍ତୁ, ବର୍ତ୍ତମାନ ସମୟରେ ପତଳା ଝାଡ଼ା ଏବଂ ପେଟ ଯନ୍ତ୍ରଣା ହେବା ମଧ୍ୟ କୋଭିଡ୍‌ର ଲକ୍ଷଣ ବୋଲି କୁହାଯାଉଛି।

ପେଟ ଯନ୍ତ୍ରଣା ବି ହୋଇପାରେ କୋଭିଡ୍ ଲକ୍ଷଣ (Abdominal pain can also be a sign of COVID in Odia)

ପ୍ରାୟ ସମସ୍ତଙ୍କର ଧାରଣା ଥାଏ ଯେ, କୋଭିଡ୍‌ ଭୂତାଣୁ ବେଶି ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ। କିନ୍ତୁ, ବହୁତ ଲୋକ ଆଜି ବି ଅଜଣା କୋଭିଡ୍‌ କ୍ଷୁଦାନ୍ତ୍ରକୁ ବି ପ୍ରଭାବିତ କରିଥାଏ। ଅଧାରୁ ଅଧିକ ଲୋକ ଯେଉଁମାନେ କୋଭିଡ୍‌ରେ ଆକ୍ରାନ୍ତ ହୁଅନ୍ତି, ସେମାନଙ୍କର ପତଳା ଝାଡ଼ା, ପେଟ ବ୍ୟଥା, ବାନ୍ତି ହୋଇପାରେ। ବେଳେ ବେଳେ ସେମାନଙ୍କ ଝାଡ଼ାରେ ନାଳ ସହ ରକ୍ତ ମଧ୍ୟ ଆସିପାରେ। ଯଦି କୌଣସି ବ୍ୟକ୍ତିଙ୍କର ବିନା କାରଣରେ ପେଟରେ ଯନ୍ତ୍ରଣା ହୁଏ, ପତଳା ଝାଡ଼ା ତିନି ଦିନରୁ ଅଧିକ ଥର ହେଉଛି, ବାନ୍ତି ସହ ମୁଣ୍ଡ ବିନ୍ଧା ହେଉଛି ଏବଂ ପେଟ ଦରଜ ରହୁଛି, ତାହେଲେ ତାଙ୍କୁ କୋଭିଡ୍‌ର ଆଶଙ୍କାକୁ ଏଡ଼ାଇପାରିବା ନାହିଁ।

ଅଧିକ ପଢ଼ନ୍ତୁ: ହ୍ୱାଇଟ୍‌ ଫଙ୍ଗସ୍‌ କ’ଣ? କେଉଁମାନେ ରହିବେ ସତର୍କ, ଜାଣନ୍ତୁ

୩ ଦିନ ଧରି ପତଳା ଝାଡ଼ା ହେଲେ କୋଭିଡ୍ ଟେଷ୍ଟ କରାନ୍ତୁ (If you have diarrhea for 3 days, do a COVID test in Odia)

କୌଣସି କାରଣ ନ ଥାଇ ପତଳା ଝାଡ଼ା ହେଲେ ଅର୍ଥାତ୍‌ ଫାଷ୍ଟଫୁଡ୍‌, ବାହାର ଖାଦ୍ୟ, ଛଣାଛଣି, ତେଲ ମସଲା ଖାଦ୍ୟ ଖାଇ ନାହାନ୍ତି, କିନ୍ତୁ ଆପଣଙ୍କର ୨ରୁ ୩ ଦିନ ଧରି ପତଳା ଝାଡ଼ା ଲାଗିରହୁଛି, ତା’ ସହିତ ବାନ୍ତି ଲାଗୁଛି, ଖାଦ୍ୟର ସ୍ୱାଦ ଜାଣିପାରୁ ନାହାନ୍ତି ଏବଂ ପେଟ ଯନ୍ତ୍ରଣା ହେଉଛି, ତେବେ ଏହାକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। କୋଭିଡ୍‌ ଯୋଗୁଁ ମଧ୍ୟ ପେଟଜନିତ ସମସ୍ୟା ହୋଇପାରେ।

ପେଟ ଯନ୍ତ୍ରଣାର ଚିକିତ୍ସା ନ କଲେ କ’ଣ ଏହାର ଜଟିଳତା (Complication of abdominal pain without treatment in Odia)

କୋଭିଡ୍‌ ଶରୀରର ରକ୍ତ ପ୍ରବାହ ନଳୀକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ। ଫଳରେ ରକ୍ତ ନଳୀ ବ୍ଲକ୍‌ ହୋଇ ରକ୍ତ ପ୍ରବାହ କମିଯାଉଛି। ସେତେବେଳେ ରୋଗୀମାନଙ୍କର ପେଟରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ। ଏଭଳି କ୍ଷେତ୍ରରେ ଆଞ୍ଜିଓଗ୍ରାଫି କରାଯାଏ। ତେଣୁ, ଯେଉଁମାନଙ୍କର ଅତ୍ୟଧିକ ପେଟ ଯନ୍ତ୍ରଣା ହେଉଛି ଏବଂ ଔଷଧ ଖାଇଲା ପରେ ବି ଯନ୍ତ୍ରଣା ସହ ପତଳା ଝାଡ଼ା ଲାଗି ରହୁଛି, ତା’ହେଲେ ଅଣଦେଖା କରନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ହୋମ୍‌ ଆଇସୋଲେସନ୍‌ରେ ଥିଲେ କ’ଣ କରିବେ? ଜାଣିରଖନ୍ତୁ

ଚିକିତ୍ସା କେମିତି ହୁଏ? (What is the Treatment in Odia)

କୌଣସି ସମସ୍ୟାର କାରଣ ଜାଣିଲେ, ତା’ର ଚିକିତ୍ସା କରିବା ସହଜ ହୋଇଥାଏ। ଜଣେ ରୋଗୀ ଉପରୋକ୍ତ ଲକ୍ଷଣ ନେଇ ଡାକ୍ତରଙ୍କ ପାଖକୁ ଆସିଲେ ଆର୍‌ଟିପିସିଆର୍‌ ଟେଷ୍ଟ ତଥା ଟ୍ରୁନାଟ୍‌ ପରୀକ୍ଷା ତଥା ଆଣ୍ଟିଜେନ୍‌ ଟେଷ୍ଟ କରିପାରିବେ। ବେଳେବେଳେ ଟ୍ରୁନାଟ୍‌ ଓ ଆଣ୍ଟିଜେନ୍‌ ନେଗେଟିଭ୍‌ ଥାଇ ମଧ୍ୟ ଆର୍‌ଟିପିସିଆର୍‌ ପଜିଟିଭ୍‌ ଆସୁଛି।

ଯଦି ଅଧିକା ପେଟ ଯନ୍ତ୍ରଣା ହେଉଛି, ଦରଜ ରହୁଛି, ପତଳା ଝାଡ଼ା ହେଉଛି, ସେହି କ୍ଷେତ୍ରରେ ୟୁରିଆ କ୍ରିଏଟିନିନ୍‌ ପରୀକ୍ଷା କରିବା ସହ ସିଟି ସ୍କାନ୍‌ କରିବା ଆବଶ୍ୟକ। ଏହାଦ୍ୱାରା ପାକସ୍ଥଳୀକୁ ରକ୍ତ ପ୍ରବାହ ହେଉଛି କି ନାହିଁ ଜଣାପଡ଼େ। ଯଦି କୌଣସି ରୋଗୀର ଅନ୍ତନଳୀରେ ବ୍ଲକେଜ୍‌ ହୋଇଯାଉଛି, ତାହେଲେ ଗ୍ୟାଙ୍ଗ୍ରିନ୍‌ ହୋଇଯାଏ। ଫଳରେ ଏହି ରୋଗୀମାନଙ୍କର ପାଚନ ପ୍ରକ୍ରିୟା ଗୁରୁତର ଭାବେ ବାଧାପ୍ରାପ୍ତ ହୁଏ।

ଡାକ୍ତରଙ୍କ ଟିପ୍ସ (Doctor advice in Odia)

କୋଭିଡ୍‌ରୁ ସୁସ୍ଥ ରହିବାର ଏକମାତ୍ର ଅସ୍ତ୍ର ହେଉଛି ସଚେତନତା। ଯେପରିକି ପାଟି, ନାକ ଘୋଡ଼ି ହୋଇପାରୁଥିବା ମାସ୍କ ପିନ୍ଧନ୍ତୁ, ବାହାରକୁ ଯାଉଥିଲେ ଫେସ୍‌ଗାର୍ଡ ବି ପିନ୍ଧିପାରିବେ, ହାତକୁ ଧୁଅନ୍ତୁ କିମ୍ବା ସାନିଟାଇଜ୍‌ କରନ୍ତୁ, ଭିଡ଼କୁ ଯାଆନ୍ତୁ ନାହିଁ ଓ ସମସ୍ତଙ୍କଠାରୁ ୬ ମିଟର ଦୂରତା ବଜାୟ ରଖନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଗିରିଶ କୁମାର ପତିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on COVID-19, in Odia language, is based on an extensive interview with Gastroenterologist Dr Girish Kumar Pati.