ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହ ଓଜନ ହ୍ରାସ କରିବାରେ ଜିରା ବେଶ୍‌ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା, ଓଜନ ହ୍ରାସ ହେବା ସହିତ ଜିରା ପାଣି ପିଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

ପ୍ରତିଦିନ ସକାଳେ ଖାଲିପେଟରେ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଯୋଗୁଁ ଆପଣ ଜିମ୍‌ ଯିବାକୁ ବା ଅନ୍ୟ କୌଣସି ପ୍ରକାରର ବ୍ୟାୟାମ କରିବାକୁ ସମୟ ପାଉ ନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ନିୟମିତ ଖାଲି ପେଟରେ ଜିରା ପାଣି ପିଇବା ଦ୍ୱାରା ଆପଣ ନିଜର ଓଜନ ହ୍ରାସର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରିବେ।

ହଜମଶକ୍ତି ବଢ଼ାଏ: ଜିରା ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଓ ମିନେରାଲ୍ସ ମହଜୁଦ ଥିବାରୁ ଏହା ପାଚନ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଏହାବ୍ୟତୀତ ଏହାକୁ ପିଇଲେ ବାନ୍ତି ସମସ୍ୟା, ମର୍ଣ୍ଣିଂସିକ୍‌ନେସ୍‌, ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ ବା ଡିଟକ୍ସ କରେ: ଜିରାରେ ବହୁ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ମହଜୁଦ ଥିବାରୁ ଏହା ଶରୀରର ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ସହାୟକ ହୋଇଥାଏ।

ରାତିରେ କିଛି ଜିରା ଅଳ୍ପ ପାଣିରେ ବତୁରାଇ, ସକାଳେ ଖାଲି ପେଟରେ ସେହି ଜିରା ପାଣିକୁ ପିଇବା ଦ୍ୱାରା ଏସିଡିଟି ଓ ଗ୍ୟାସ୍‌ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

Jeera pani

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ: ଜିରା ପାଣିରେ ପ୍ରଚୁର ମାତ୍ରାରେ ଆଇରନ୍‌ ମହଜୁଦ ଥିବାରୁ ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାସହିତ ଏଥିରେ ମହଜୁଦ ଥିବା ଭିଟାମନ୍‌ ଏ ଓ ଭିଟାମିନ୍‌ ସି ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୁକ୍ତ ଅଟେ।

ଜିରା ପାଣି ପିଇଲେ ଶରୀରର ମେଟାବୋଲିଜମ୍‌ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ। ଏହାସହିତ ସକାଳେ ଖାଲି ପେଟରେ ଏକ ଗ୍ଲାସ୍‌ ଜିରା ପାଣି ପିଇଲେ ଦିନରେ ବାରମ୍ବାର ଭୋକ ଲାଗେନାହିଁ। ଜିରାପାଣି ପାଚନ କ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ।  ଏହିସବୁ କାରଣରୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ କରିଥାଏ: ଜିରା ଶରୀରରେ ଖରାପ କୋଲେଷ୍ଟ୍ରୋଲ ତିଆରି ହେବାକୁ ଦିଏନାହିଁ। ଏହା ସହିତ ଶରୀରରେ ଚର୍ବିର ପରିମାଣ କମ୍‌ କରିବାରେ ମଧ୍ୟ ସହାୟକ ହେଉଥିବାରୁ ହାର୍ଟ ଆଟାକ୍‌ ପରି ସମସ୍ୟା ଉପୁଜିବା ଆଶଙ୍କା କମ୍‌ ହୋଇଥାଏ।

ଜିରା ପାଣି କିଭଳି କରିବେ ପ୍ରସ୍ତୁତ?

ଜିରା ପାଣି ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣିରେ ଏକ ବଡ଼ ଚାମଚ ଜିରା ବତୁରାଇ ଦିଅନ୍ତୁ। ସକାଳେ ଜିରାକୁ ଛାଣି ଆଲଗା କରିଦିଅନ୍ତୁ ଓ ଏହି ପାଣିକୁ ପିଅନ୍ତୁ। ଏହି ପାଣିକୁ କିଛି ସମୟ ଫୁଟାଇ ଆପଣ ଗରମ ଗରମ ମଧ୍ୟ ପିଇପାରିବେ। ଏହାସହିତ ଜିରା ପାଣିରେ କିଛି ଲେମ୍ବୁରସ ମଧ୍ୟ ମିଶାଇ ପିଇପାରିବେ। ଜିରା ପାଣିର ସର୍ବାଧିକ ଫାଇଦା ପାଇବା ପାଇଁ ସବୁବେଳେ ଏହାକୁ ସକାଳେ ଖାଲିପେଟରେ ପିଇବା ଆବଶ୍ୟକ।