ହ୍ୱାଟ୍‌ସଆପ୍‌ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍‌। ଲିଙ୍କରେ କ୍ଲିକ୍‌ କରନ୍ତୁ:https://bit.ly/SubscribeToSwasthyaPlusOdia

ଶନିବାର ଦେଶବ୍ୟାପୀ ଆରମ୍ଭ ହେବ କୋଭିଡ୍‌ ଟିକାକରଣ। ଏହି ଟିକାକରଣ ଅଭିଯାନରେ କେଉଁମାନେ ସାମିଲ ହେବେ, କେଉଁମାନଙ୍କୁ ଏଥରୁ ବାଦ୍‌ ପଡ଼ିବେ ଜାଣିରଖନ୍ତୁ।

ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି, ଯେଉଁମାନଙ୍କଠାରେ କୋଭିଡ୍‌ ସଂକ୍ରମଣର ସକ୍ରିୟ ଲକ୍ଷଣ ଦେଖାଯାଉଥିବ, ସେମାନଙ୍କୁ ଟିକା ଦିଆଯିବ ନାହିଁ। ସେମାନଙ୍କୁ ଟିକା ନେବା ପାଇଁ ହେଲେ ସୁସ୍ଥ ହେବାର ୪ରୁ ୮ ସପ୍ତାହ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ଟିକା ନେଇପାରିବେ ନାହିଁ।

୧୮ ବର୍ଷ କିମ୍ବା ତା’ଠୁ ଉର୍ଦ୍ଧ୍ୱ ବୟସର ଲୋକମାନେ ଟିକା ନେଇପାରିବେ। ସେହିପରି କରୋନା ଟିକାକରଣ ବେଳେ ହିତାଧିକାରୀଙ୍କୁ ଅନ୍ୟ କୌଣସି ଟିକା ନେବାର ଥାଏ ତେବେ ଏଥିପାଇଁ ତାଙ୍କୁ ୧୪ ଦିନର ବ୍ୟବଧାନ ରଖିବାକୁ ହେବ।

କରୋନା ଟିକା ପ୍ରଥମ ଡୋଜ୍‌ ଦିଆଯିବା ପରେ ୪ ସପ୍ତାହ ପରେ ଏହାର ଦ୍ୱିତୀୟ ଡୋଜ୍‌ ଦିଆଯିବ। ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ପାଇଁ ଏହି ସମାନ ନିୟମ ରହିଛି। ପ୍ରଥମ ଡୋଜ୍‌ ନେବା ପରେ ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ, ତେବେ ଦ୍ୱିତୀୟ ଡୋଜ ଦିଆଯିବ ନାହିଁ।

ଅଧିକ ପଢ଼ନ୍ତୁ: କୋଭିଡ୍‌ ଟିକା ବିଷୟରେ ଯାହା ଆପଣଙ୍କର ଜାଣିବା କଥା

ପୂର୍ବରୁ ଆଣ୍ଟି ସାର୍ସ କୋଭ-୨ ମନୋକ୍ଲୋନାଲ ଆଣ୍ଟିବଡି ଅଥବା ପ୍ଲାଜମା ଗ୍ରହଣ କରିଥିବା କରୋନା ରୋଗୀଙ୍କୁ ବି ଟିକାକରଣ ଅଭିଯାନରେ ସାମିଲ କରାଯିବ ନାହିଁ। ସେମାନେ ବି ସୁସ୍ଥ ହେବାର ୪ରୁ ୮ ସପ୍ତାହ ପରଯାଇ ଟିକା ନେଇପାରିବେ।

କୌଣସି ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ସୁସ୍ଥ ହେବା ପରେ ଟିକାକରଣରେ ସାମିଲ ହୋଇପାରିବେ।

ସେହିପରି ଏଚ୍‌ଆଇଭି ରୋଗୀଙ୍କୁ କରୋନା ଟିକା ଦିଆଯାଇପାରିବ। କିନ୍ତୁ ଏମାନଙ୍କଠାରେ ଟିକାର ପ୍ରଭାବ କମ୍‌ ଦେଖାଯାଇପାରେ।

ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ବା ଆର୍‌ଟିପିସିଆର୍‌ ପଜିଟିଭ ଥିବା ଲୋକ ଟିକା ନେଇପାରିବେ।

ହୃଦରୋଗ, ସ୍ନାୟବିକ, ପଲ୍‌ମନାରି ବା କିଡ୍‌ନି ଭଳି ବିଭିନ୍ନ ଦୂରାରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଡୋଜ ମିଳିବ।

କୋଭିସିଲ୍ଡ ଟିକାର ପ୍ରତି ଭାଏଲରେ ୧୦ଟି ଡୋଜ ରହିଥିବା ବେଳେ କୋଭାକ୍ସିନ୍‌ ଟିକାର ଗୋଟିଏ ଭାଏଲରେ ୨୦ଟି ଡୋଜ ରହିଛି। ଏହି ଟିକା ୬ ମାସ ପର୍ଯ୍ୟନ୍ତ ସୁରକ୍ଷିତ ମହଜୁଦ ରହିପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।