ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଦୈନିକ ବଢୁଛି ପଜିଟିଭ୍ ସଂଖ୍ୟା। ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୦୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ, ୧୩୦୨ ଲୋକଲ୍ ସଂକ୍ରମିତ ରହିଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି।

corona

ଆଜି ସର୍ବାଧିକ ୫୩୪ ପଜିଟିଭ୍ କେସ୍ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ । ସେଠାରୁ ସମୁଦାୟ ୫୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୫୧, ଅନୁଗୁଳ ୪୪, ବରଗଡ଼ ୧୩୨, ଭଦ୍ରକ ୫୩, ବୌଦ୍ଧ ୯, କଟକ ୧୬୩, ଦେଓଗଡ଼ ୧୯, ଢ଼େଙ୍କାନାଳ ୧୬, ଗଜପତି ୧୮, ଗଞ୍ଜାମ ୫୫, ଜଗତସିଂପୁର ୨୯, ଯାଜପୁର ୭୫, ଝାରସୁଗୁଡ଼ା ୮୯, କଳାହାଣ୍ଡି ୫୫, କନ୍ଧମାଳ ୧୦, କେନ୍ଦ୍ରପଡ଼ା ୨୨, କେଉଁଝର ୧୦୫, କୋରାପୁଟ ୨୩, ମୟୁରଭଞ୍ଜ ୭୧, ନବରଙ୍ଗପୁର ୧୫୬, ନୟାଗଡ଼ ୧୫, ନୂଆପଡ଼ା ୧୪୦, ପୁରୀ ୧୧୪, ରାୟଗଡ଼ା ୩୮, ସମ୍ବଲପୁର ୧୫୩, ସୋନପୁର ୪୨, ଷ୍ଟେଟ ପୋଲ ୧୧୮ ଓ ମାଲକାନଗିରିରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ୨୪ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଥିବା ୮୩୭ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥ ସଂଖ୍ୟା ୩ଲକ୍ଷ ୪୨ହଜାର ୫୭୦ରେ ପହଞ୍ଚିଛି। ନୂଆ ପଜିଟିଭ୍‌କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୩ଲକ୍ଷ ୬୧ହଜାର ୪୫୦ ପଜିଟିଭ୍ କେସ୍ ରହିଛି। ୧୬୮୮୯ଟି ସକ୍ରିୟ ମାମଲା ରହିଛି।

କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। ଆଜିଠାରୁ କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏଥିସହ ଛତିଶଗଡ଼ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ଶନିବାର ରବିବାର ସଟ୍‌ଡାଉନ୍ ଘୋଷଣା ହୋଇଛି। ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଟିକା ଅଭାବରୁ ପାଖାପାଖି ୧୧ଜିଲ୍ଲାରେ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି।

ସୌଜନ୍ୟ: ଓଡ଼ିଶାଲାଇଭ୍