କ୍ୟାନ୍‌ସର ବା କର୍କଟ ରୋଗ ସମଗ୍ର ଦେଶରେ ଏକ ଉତ୍କଟ ରୂପ ଧାରଣ କରିଛି। ହେଲେ କର୍କଟ ରୋଗ କାହିଁକି ବଢ଼ୁଛି ଓ କାହିଁକି ଲୋକେ ପ୍ରାଥମିକ ପର୍ଯ୍ୟାୟରୁ ଜାଣିପାରୁ ନାହାନ୍ତି, ଏନେଇ ବିସ୍ତୃତ ଭାବେ କହିଛନ୍ତି କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର ମିଶ୍ର।

କାହିଁକି ବଢ଼ୁଛି କର୍କଟ ରୋଗ?

କର୍କଟ ରୋଗ ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ପରିବେଶ ପ୍ରଦୂଷଣ, ଖାଦ୍ୟଶୈଳୀ ଓ ପରିବର୍ତ୍ତିତ ଜୀବନଶୈଳୀ। ବର୍ତ୍ତମାନ ସମୟରେ କଳକାରଖାନା ଓ ଗାଡ଼ି ମୋଟରରୁ ବାହାରୁଥିବା ଧୂଆଁ ଯୋଗୁଁ କର୍କଟ ହେଉଛି। ତେଣୁ, ମେଟ୍ରୋ ଅଞ୍ଚଳରେ ରହୁଥିବା ଲୋକଙ୍କଠାରେ ଫୁସ୍‌ଫୁସ୍‌ କର୍କଟ ହେବାର ଆଶଙ୍କା ଥାଏ।

ଖାଦ୍ୟଶୈଳୀ, ଯେପରିକି ପେଷ୍ଟିସାଇଡ୍‌ ମିଶ୍ରିତ ଖାଦ୍ୟ ଯୋଗୁଁ କର୍କଟର ଆଶଙ୍କା ବଢ଼ୁଛି। ସେହିପରି ପରିବର୍ତ୍ତିତ ଜୀବନଶୈଳୀ ଯେପରିକି ଶାରୀରିକ ପରିଶ୍ରମର ଅଭାବ, ମୋଟାପଣ, ଖାଦ୍ୟପେୟରେ ଅନିୟମିତତା, ତମାଖୁ ସେବନ, ଧୂମପାନ ଓ ମଦ୍ୟପାନର ସେବନ ଯୋଗୁଁ କର୍କଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଛି।

ମଇଦା, ରିଫାଇଣ୍ଡ ଫୁଡ୍‌ ଓ ଚିନି ସେବନ ସହିତ କର୍କଟ ରୋଗର କୌଣସି ସମ୍ପର୍କ ରହିଛି କି?

ରିଫାଇଣ୍ଡ ଫୁଡ୍‌ ଯେପରିକି ମଇଦା, ଚିନି, ପାଉଁରୁଟି, ବିସ୍କୁଟ୍‌ ଓ କେକ୍‌ ଭଳି ଖାଦ୍ୟ ସେବନ ଯୋଗୁଁ କୋଲୋନ୍‌ କ୍ୟାନ୍‌ସର ହେବାର ଆଶଙ୍କା ବଢ଼ୁଛି। ମଇଦାଜାତୀୟ ଖାଦ୍ୟ ଖାଇବା ଯୋଗୁଁ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖାଦେଉଛି ଏବଂ ଧୀରେ ଧୀରେ ଏହା କୋଲୋନ୍‌ କ୍ୟାନ୍‌ସରର କାରଣ ହେଉଛି।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ଫୁସଫୁସ୍ କର୍କଟ? ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ

ବଂଶଗତ କାରଣରୁ କର୍କଟ ରୋଗ ହେଉଛି କି?

ବଂଶଗତ କାରଣ ଯୋଗୁଁ କର୍କଟ ହେବାର ଆଶଙ୍କା ରହିଛି। ତେଣୁ ନିୟମିତ ବ୍ୟବଧାନରେ ସ୍କ୍ରିନିଂ କରିବା ଦ୍ୱାରା କର୍କଟଜନତି ଜଟିଳତାକୁ ଏଡ଼ାଇପାରିବା।

କାହିଁକି ଅଧିକାଂଶ ଲୋକେ କର୍କଟ ବିଷୟରେ ପ୍ରଥମ ଷ୍ଟେଜରୁ ଜାଣିପାରୁ ନାହାନ୍ତି?

ସଚେତନତାର ଅଭାବ ଯୋଗୁଁ ଲୋକେ କକର୍ଟକୁ ପ୍ରଥମ ଷ୍ଟେଜ୍‌ରୁ ଚିହ୍ନିପାରୁ ନାହାନ୍ତି। କାରଣ ଛୋଟମୋଟ ଲକ୍ଷଣ ଦେଖାଗଲେ ଲୋକେ ତାକୁ ସାମାନ୍ୟ ସମସ୍ୟା ଭାବି ଅଣଦେଖା କରିଥାଆନ୍ତି। ଉଦାହରଣସ୍ୱରୁପ ଜଣେ ବ୍ୟକ୍ତିଙ୍କୁ କାଶ ହେଉଛି ଓ ସେ ତାକୁ ସାଧାରଣ ଥଣ୍ଡା କାଶ ଭାବି ଅଣଦେଖା କରୁଛନ୍ତି। ହେଲେ ତାହା ଟିବି କିମ୍ବା କ୍ୟାନ୍‌ସର ହୋଇପାରେ। ଯାହାଫଳରେ ଲୋକଙ୍କୁ କର୍କଟ ବିଷୟରେ ବିଳମ୍ବରେ ଜଣାପଡ଼ୁଛି। ତେଣୁ ସଚେତନ ହୁଅନ୍ତୁ, କୌଣସି ସମସ୍ୟା ହେଲେ ପରୀକ୍ଷା କରି ଏହାର ଚିକିତ୍ସା ତୁରନ୍ତ କରନ୍ତୁ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ମୁଣ୍ଡ ଏବଂ ଗଳା କର୍କଟ?

କର୍କଟର ଚିକିତ୍ସା ପରେ ଜଣେ ବ୍ୟକ୍ତି ସାଧାରଣ ଭାବେ ଜୀବନଯାପନ କରିପାରିବେ?

ହଁ। କର୍କଟର ଚିକିତ୍ସା ପରେ ବି ଜଣେ ବ୍ୟକ୍ତି ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିପାରିବେ। କର୍କଟ ରୋଗୀଙ୍କ ଚିକିତ୍ସା ବେଳେ ଧ୍ୟାନ ଦିଆଯାଏ ଯେପରି ରୋଗୀଙ୍କର କାର୍ଯ୍ୟଦକ୍ଷତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତେଣୁ ରୋଗୀର ଷ୍ଟ୍ରକଚରାଲ, ଫଙ୍କସନାଲ ଓ ସାଇକୋଲୋଜିକାଲ ଉପରେ ବିଶେଷ ଧ୍ୟାନ ଦିଆଯାଏ।

କର୍କଟର ଚିକିତ୍ସା ପରେ ପୁଣି ହେବାର ଆଶଙ୍କା ଅଛି କି?

ହଁ। ଥରେ କର୍କଟର ଚିକିତ୍ସା ପରେ ପୁନଃ କର୍କଟ ହେବାର ଆଶଙ୍କା ରହିଛି। ଥରେ କର୍କଟ ହେବା ପରେ ଶରୀରରେର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଓ ଭୂତାଣୁ ସହ ଲଢ଼ିବାର ଶକ୍ତି କମିଯାଏ। ତେଣୁ ଥରେ କ୍ୟାନ୍‌ସର ହେବା ପରେ ଅନ୍ୟ ଏକ ପ୍ରକାର କ୍ୟାନ୍‌ସର ହେବାର ଆଶଙ୍କା ରହିଛି।