ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’
KNB Video Episode Poster_11th june

ଗୋଟିଏ ବର୍ଷରୁ ଅଧିକ ସମୟ ହେଲାଣି, କରୋନା କାଳରେ ରହିଛି ସାରା ପୃଥିବୀ। ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର କଥା ଉଠିଲାଣି। ଏତେଦିନ ଧରି ଆମେ ଯେଉଁ ବିପତ୍ତି ଦେଇ ଗତି କରୁଛେ ସେଥିରେ ବୟସ୍କ, ଯୁବପିଢ଼ି ତ ପ୍ରଭାବିତ ହୋଇଛନ୍ତି କିନ୍ତୁ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ଶିଶୁ ଓ କିଶୋରା ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ ଭିଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।

ଜୁନ ୧୨ ତାରିଖ, ଶନିବାର ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଆପଣ ଦେଖିଛନ୍ତି ‘କେତେ ନୂଆ ବାଟ ସିଜିନ୍‌ ୨’ର ଦ୍ଵିତୀୟ ଭିଡିଓ ସିରିଜ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯାଇଛି।

ଭିଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟରେ ସାମିଲ ହୋଇଛନ୍ତି ବିଏମସି କମିସନର ସଞ୍ଜୟ ସିଂହ, ୟୁନିସେଫ୍‌ ଓଡ଼ିଶା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ୍, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଷ୍ଟୋରିଟେଲର ପ୍ରାଚୀତାରା, ମେଡିକାଲ ଇଣ୍ଟର୍ଣ୍ଣ ଡାକ୍ତର ଋତୁପର୍ଣ୍ଣା ଷଡ଼ଙ୍ଗୀ, ସ୍ୱେଚ୍ଛାସେବୀ ଶ୍ରୀୟଙ୍କା କୁଳଦୀପ, ଓଏଲଏସ୍ ଛାତ୍ର ପ୍ରିୟରଞ୍ଜନ ଏବଂ ଦେବାଶିଷ ନାଥ।

‘‘ଏହି କୋଭିଡ୍‌ ସମୟରେ ପିଲାମାନେ ନିଜ ଘରେ କଏଦ ହୋଇ ରହିଛନ୍ତିା ଏହା ସେମାନଙ୍କ ଉପରେ ଗଭୀର ପ୍ରଭାବ ପକାଉଛି। ତେଣୁ ଏ ସମୟରେ ଅଭିଭାବକମାନେ ପିଲାଙ୍କ ସହିତ ବେଶୀ ସମୟ ବିତାଇବା ଦରକାର। ପିଲାଙ୍କ କଥା ଶୁଣିବା ଓ ବୁଝିବା ଦରକାର। ସେମାନଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେବା ଦରକାର’’ କହିଥିଲେ ଡାକ୍ତର ମୀନା ସୋମ୍।

ନିକଟରେ କୋଭିଡ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ନେଇ ଏକ ରିପୋର୍ଟ ଏହି ଭିଡିଓ ସିରିଜରେ ସ୍ଥାନ ପାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ କିଭଳି ପଦକ୍ଷେପ ସବୁ ନେଇଛନ୍ତି ସେ ବିଷୟରେ କୁହାଯାଇଥିଲା।

ସେହିପରି ଏହି କରୋନା ସମୟରେ ଭୁବନେଶ୍ୱରରେ ଥିବା ଓପନ ଲର୍ଣ୍ଣିଂ ସିଷ୍ଟମସ (ଓଏଲ୍‌ଏସ୍‌)ରେ ଦିବ୍ୟାଙ୍ଗ ପିଲାମାନେ କିଭଳି ସମୟ ବିତାଉଛନ୍ତି ସେ ସମ୍ପର୍କରେ ଏକ ସ୍ପେଶାଲ ରିପୋର୍ଟ ଏହି ଭିଡିଓ ସିରିଜ୍‌ରେ ଦେଖାଯାଇଥିଲା। ଯେଉଁଥିରେ ପିଲାଙ୍କଠାରୁ ଆରମ୍ଭ କରି ଓଏଲଏସ୍‌ର ଶିକ୍ଷକ, ସ୍ପୋର୍ଟସ କୋଚ୍‌, ଚିଲଡ୍ରେନ୍‌ ହୋମ୍‌ର ସୁପରିଟେଣ୍ଡେଣ୍ଟ ରହିଥିଲେ।

ଏହାପରେ ଷ୍ଟୋରିଟେଲର ପ୍ରାଚୀତାରାଙ୍କୁ ଏହି ଭିଡିଓ ସିରିଜରେ ଦେଖିବାକୁ ପାଇଥିଲେ ଦର୍ଶକ। କାହାଣୀ ବା ଗପ କିଭଳି ପିଲାଙ୍କୁ ମନୋରଞ୍ଜନ ଯୋଗାଇବା ସହିତ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ବିକାଶ କରିଥାଏ ସେ ବିଷୟରେ ପ୍ରାଚୀତାରା କହିଥିଲେ,‘‘ପିଲାଙ୍କୁ ଗପ ଭଲ ଲାଗେ। ତେଣୁ ସେମାନଙ୍କ ଉପଯୋଗୀ ଗପ ସେମାନଙ୍କୁ ଦେଖାଇଥିଲେ ସେମାନେ ଖୁସି ହୁଅନ୍ତି’’।

ଏହି ଭିଡିଓ ସିରିଜ୍‌ରେ ରାୟଗଡ଼ାର ଝିଅ ଶ୍ରୀୟଙ୍କା କୁଲଦୀପ୍‌ଙ୍କ କାହାଣୀ ଥିଲା। ଗାଁର ଜଣେ ପରିବାର କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲା ବେଳେ ସେ କେମିତି ସେହି ପରିବାରକୁ ସହାୟତାର ହାତ ବଢ଼ାଇଥିଲେ ତାହା ଦେଖାଯାଇଥିଲା।

ଏହି ଭିଡିଓ ସିରିଜ୍‌ରେ ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଡ଼ି ହୋଇଥିଲେ। ‘‘ସମାଜ ପ୍ରତି ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ତେଣୁ ମହାମାରୀ ସମୟରେ ସହାୟତାର ହାତ ବଢ଼ାଇ ଆଗେଇ ଆସନ୍ତୁ। ଅନ୍ୟର ମୁହଁରେ ହସ ଫୁଟାନ୍ତୁ’’, କହିଥିଲେ ବର୍ଷା ପ୍ରିୟଦର୍ଶିନୀ।

ସେହିପରି ଏହି କୋଭିଡ୍‌ ସମୟରେ ସାଧାରଣ ଜନତା, ସ୍ୱାସ୍ଥ୍ୟ ସେବା ଓ ପ୍ରଶାସନ ମଧ୍ୟରେ ଯୋଗସୂତ୍ର ପାଲଟିଥିବା କୋଭିଡ୍‌ ହେଲ୍‌ପ ଲାଇନ୍‌ କିଭଳି କାମ କରୁଛି ଓ ଲୋକଙ୍କୁ ସେବା ଯୋଗାଉଛନ୍ତି ତାହା ଦର୍ଶାଯାଇଥିଲା। ଏଥିରେ ସୁନ୍ଦରଗଡ଼, ରାଉରକେଲା ଓ ଭୁବନେଶ୍ୱରରେ କାମ କରୁଥିବା କଲ୍‌ ସେଣ୍ଟରର ଦୃଶ୍ୟ ଦେଖାଯାଇଥିଲା।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଓ ପ୍ରଯୋଜକ ଅଛନ୍ତି।

ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।