ରାଜ୍ୟରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। କରୋନା ଲେଉଟାଣି ପରେ ପ୍ରଥମ ଥର ପାଇଁ ଆଜି ରାଜ୍ୟରୁ ୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଦିନକରେ ୨୨୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧୪ଜଣ ହୋଇଥିବାବେଳେ, ୯୫୩ଟି ସ୍ଥାନୀୟ କେସ୍।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ ୩୪୮ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪ସହର କଟକ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁରରେ ପଜିଟିଭ୍ ସଂଖ୍ୟା ଶହେ ଟପିଛି। ନୂଆ ପଜିଟିଭ୍ ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୫୫ହଜାର ୩୫୩ ରେ ପହଞ୍ଚିଛି।

ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ୫୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୩ଲକ୍ଷ ୪୧ହଜାର ୧୨୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୨ହଜାର ୨୪୪ ସକ୍ରିୟ କେସ୍ ରହିଛି।

ଅନ୍ୟପକ୍ଷରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟରେ ଟିକାକରଣ କରାଯାଉଛି । ରେଳ ଷ୍ଟେସନଠାରୁ ଆରମ୍ଭ କରି ବିମାନ ବନ୍ଦର ପର୍ଯ୍ୟନ୍ତ ସବୁଠାରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି । ଟିକା ଅଭାବରୁ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଥିବା ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସୌଜନ୍ୟ: ଓଡ଼ିଶାଲାଇଭ୍